ବାନ୍ଧବୀଙ୍କ ସହ ତାଙ୍କ ନାଁରେ ହତ୍ୟା ଅଭିଯୋଗ
ଇନ୍ଫୋସିଟି ପୁଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ
ସିବିଆଇ ତଦନ୍ତ ଦାବିକଲେ ପରିବାରବର୍ଗ
ରାଉରକେଲା : ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ହକି ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ମୃତ ଯୁବକ ଆନନ୍ଦ କୁମାର ଲାକ୍ରା(୨୮) ହେଉଛନ୍ତି ବୀରେନ୍ଦ୍ରଙ୍କ ବନ୍ଧୁ। ଆନନ୍ଦଙ୍କ ପରିବାର ବୀରେନ୍ଦ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି ଯେ ହତ୍ୟା ପଛରେ ବୀରେନ୍ଦ୍ର ଓ ତାଙ୍କର ମହିଳା ବାନ୍ଧବୀଙ୍କର ହାତ ରହିଛି। ବୀରେନ୍ଦ୍ର ଜଣେ ଅନ୍ତର୍ଜାତୀୟସ୍ତରର ଖେଳାଳି ତଥା ସଂପ୍ରତି ପୁଲିସ୍ ଡିଏସ୍ପି ଭାବେ କାର୍ଯ୍ୟରତ ଥିବାରୁ ମାମଲାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି।
ଗତ ଫେବ୍ରୁଆରି ୨୮ ତାରିଖ ଦିନ ପ୍ରାୟ ୧୨ଟାରେ ଭୁବନେଶ୍ବର ଇନ୍ଫୋସିଟି ଥାନା ‘ଆୟୁଷରେଡିୟମ ଫ୍ଲାଟ୍ ନଂ-୪୦୧’ରେ ଆନନ୍ଦଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ଇନ୍ଫୋସିଟି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାତ୍ର ହତ୍ୟା ମାମଲା ରୁଜୁ କରିନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ମୃତ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ, ମା ଆଶ୍ରିତା ଟପ୍ପୋ, ଦାଦା ଜିନ୍ଦା ଟପ୍ପୋ ଓ ଡାଲୁ ଟପ୍ପୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ସାନପୁଅ ଆନନ୍ଦ ଭୁବନେଶ୍ବରରେ ରହୁଥିବାବେଳେ ଗତ ବର୍ଷ ଜୁଲାଇରେ ରାଉରକେଲାକୁ ଫେରିଆସିଥିଲେ। ସେ ଉକ୍ତ ଫ୍ଲାଟ୍କୁ ବନ୍ଧୁ ବୀରେନ୍ଦ୍ର ଲାକ୍ରାଙ୍କୁ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ଆନନ୍ଦ ମାତ୍ର ୧-୨ଥର ଉକ୍ତ ଫ୍ଲାଟ୍କୁ ଯାଇଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ସେଠାରେ ବୀରେନ୍ଦ୍ର ନିଜ ବାନ୍ଧବୀ ମନଜିତ ଟେଟେଙ୍କ ସହ ରହୁଛନ୍ତି। ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଆନନ୍ଦ ବିବାହ କରିଥିଲେ। ବିବାହର ମାତ୍ର ୧୦ ଦିନ ପରେ ଅର୍ଥାତ୍ ଫେବ୍ରୁଆରି ୨୭ ତାରିଖ ରାଉରକେଲାରୁ ଝାରସୁଗୁଡ଼ା କୋଲାବିରାକୁ ଯାଇଥିଲେ। କୋଲାବିରାରେ ପତ୍ନୀଙ୍କୁ ଛାଡ଼ି ବିଳମ୍ବିତ ରାତି ପ୍ରାୟ ୧୧ଟାରେ ତିନି ବନ୍ଧୁଙ୍କ ସହ ଭୁବନେଶ୍ବର ଯାଇଥିଲେ। ୨୮ ତାରିଖରେ ସେମାନେ ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରେ ଆନନ୍ଦ ସିଧାସଳଖ ବୀରେନ୍ଦ୍ର ରହୁଥିବା ଫ୍ଲାଟ୍କୁ ଯାଇଥିଲେ ଏବଂ ନିଜ ସହିତ ଯାଇଥିବା ଦୁଇ ସାଙ୍ଗଙ୍କୁ ସେମାନେ ରହୁଥିବା ସ୍ଥାନକୁ ଯିବାକୁ କହିଥିଲେ। ସେହିଦିନ ରାତି ପ୍ରାୟ ୧୦ଟାରେ ସମସ୍ତେ ଏକାଠି ହୋଇ ରାଉରକେଲା ଫେରିବାର ଯୋଜନା ହୋଇଥିଲା। ଆନନ୍ଦ ଉକ୍ତ ଫ୍ଲାଟ୍ରେ ପହଞ୍ଚିବାପରେ ସକାଳ ପ୍ରାୟ ୯ଟା ୩୭ ମିନିଟ୍ରେ ପତ୍ନୀ ଓ ପ୍ରାୟ ୯.୫୦ ମିନିଟ୍ରେ ମା’ଙ୍କ ସହ କଥା ହୋଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟାରେ ବୀରେନ୍ଦ୍ର ଶ୍ରୀ ଟପ୍ପୋଙ୍କୁ ଫୋନ୍ ମାଧ୍ୟମରେ ଆନନ୍ଦ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ।
ଏହାପରେ ଟପ୍ପୋ ପରିବାର ଭୁବନେଶ୍ବରରେ ପହଞ୍ଚି ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ଇନ୍ଫୋସିଟି ପୁଲିସ କୁଆଡ଼େ ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇନଥିଲା।
ଆନନ୍ଦଙ୍କ ବାପା ଆହୁରି ମଧ୍ୟ ଅଭିଯୋଗ କରିଥିଲେ, ‘ ମୃତ୍ୟୁ ବେଳକୁ ଆନନ୍ଦଙ୍କ ବାହାଘରକୁ ମାତ୍ର ୧୦ ଦିନ ପୂରିଥିଲା, ସେ ମାନସିକ ଓ ଶାରୀରିକଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ‘ଆମେ ଯେଉଁଦିନ ଭୁବନେଶ୍ବରରେ ପହଞ୍ଚିଲୁ, ମୋତେ ଫ୍ଲାଟ୍କୁ ଯିବାକୁ ଦିଆଗଲାନି। ଏମିତିକି ବୀରେନ୍ଦ୍ର ୪ ଘଣ୍ଟାପରେ ମୋତେ ଦେଖା କରିଥିଲେ,’ ବୋଲି ବନ୍ଧନ ଟପ୍ପୋ ଅଭିଯୋଗ କରିଥିଲେ। ଏ ଘଟଣାରେ ଭୁବନେଶ୍ବରର ଇନ୍ଫୋସିଟି ପୁଲିସ ଆବଶ୍ୟକୀୟ ସହଯୋଗ କରୁନି। କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଦୃଶ୍ୟ ଚାପ ଯୋଗୁଁ ହାତବାନ୍ଧି ବସିଛି। ଏନେଇ ବିଗତ ଦିନରେ ଭୁବନେଶ୍ବର ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନ୍ୟାୟ ମିଳୁନଥିବା ସେ ଅଭିଯୋଗ କରିଥିଲେ।
ଅଭିଯୋଗର ପ୍ରତିକ୍ରିୟା ଜାଣିବାକୁ ବୀରେନ୍ଦ୍ର ଲାକ୍ରାଙ୍କୁ ଏକାଧିକବାର ଫୋନ୍ରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ୍ ନ ଧରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ଅପରପକ୍ଷରେ ଇନ୍ଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କ କହିବା ଅନୁଯାୟୀ ବିରେନ୍ଦ୍ରଙ୍କ ନିକଟ ଘରେ ଆନନ୍ଦ ଓ ତାଙ୍କର ଜଣେ ଯୁବତୀ ବନ୍ଧୁ ରହୁଥିଲେ। ଆନନ୍ଦ ବିବାହିତ ହୋଇ ପୁଣି ଯୁବତୀ ବନ୍ଧୁଙ୍କ ସହ ସଂମ୍ପର୍କରେ ରହିବାକୁ ଇଚ୍ଛା କରୁଥିଲେ। ଯହାକୁ ଯୁବତୀ ବନ୍ଧୁ ଜଣଙ୍କ ବାରଣକରିବାରୁ ସେ ମାନସିକ ଚାପରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ।