ବିଧାନସଭା ସମ୍ମୁଖରେ ଯୁବକର ଉନ୍ମତ୍ତ କାଣ୍ଡ : ମା’ ବେକରେ ଛୁରି ଲଗାଇ ଗର୍ଜିଲା

ଭୁବନେଶ୍ୱର : ‘ପାଖକୁ ଆସନି, ବେକ କାଟି ଦେବି। ବିଲିଭ୍‌ ମି, ଆଇ ଏମ୍‌ ନଟ୍‌ ମେଣ୍ଟାଲ। ମୁଁ ବହୁତ କଥା ଜାଣିଛି। ଏମାର ମଠ ଓ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବହୁ ସମ୍ପତ୍ତି ଚୋରି ହୋଇଛି। ସବୁ ମୁଁ ଜାଣିଛି। ପ୍ରମାଣ ଦେବି। ମୁଖ୍ୟମନ୍ତ୍ରୀ ଇନୋସେଣ୍ଟ, କିନ୍ତୁ ତାଙ୍କ ମନ୍ତ୍ରୀମାନେ ବିଗେଷ୍ଟ ଥିଫ୍‌। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିୟନ୍ତ୍ରଣ କରିପାରୁନାହାନ୍ତି। ମୁଁ ଗଭର୍ଣର ଜେନେରାଲ୍‌ଙ୍କୁ ସବୁ ଜଣାଇବି। ଗଭର୍ଣର ଗଣେଶୀ ଲାଲ୍‌ ସବ୍ ମୁଝେ ଯୋ ସଜା ଦେଙ୍ଗେ ମୁଝେ ମଞ୍ଜୁର ହୈ। ଏଇ କାଗଜ ପଢ଼, ସେଥିରେ ସବୁ ଲେଖିଛି।’ ଆଜି ବିଧାନସଭା ସମ୍ମୁଖ ମୁଖ୍ୟ ରାସ୍ତା(ସଚ୍ଚିବାଳୟ ମାର୍ଗ)ରେ ଏମିତି ଗର୍ଜନ କରୁଥିଲା ଜଣେ ଯୁବକ। ନିଜ ମା’ଙ୍କ ବେକରେ ଛୁରି ଲଗାଇ ବିଚ୍‌ ରାସ୍ତାରେ ଗର୍ଜନ କରୁଥିଲା ସେ। ହଠାତ୍ ଏମିତି ଏକ ଅଘଟଣ ଦେଖି ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ କିଂ କର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ। ତେବେ ପ୍ରାୟ ଅଧଘଣ୍ଟାର ଏହି ନାଟକ ପରେ ପୁଲିସ ଓ ଗଣମାଧ୍ୟମର ପ୍ରତିନିଧିମାନେ ବଡ଼ ଚତୁରତାର ସହ ଯୁବକକୁ କାବୁ କରିଥିଲେ ଓ ମା’ଙ୍କୁ ଉଦ୍ଧାର କରିଥିଲେ। ତେବେ ମାନସିକ ରୋଗୀ ଏହି ଯୁବକଙ୍କ ହାଇ ଡ୍ରାମାକୁ ନେଇ ନାନା କଥା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଯୁବକ ଜଣକ ହେଉଛନ୍ତି ଦଶପଲ୍ଲା କଉତା ଗାଁର ଜିତେନ୍ଦ୍ର ପାଳ ଓ ତାଙ୍କ ମା ହେଉଛନ୍ତି ଝରଣା ପାଳ।

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ୫୦ ମିନିଟ୍‌। ଏଜି ଛକ ଦିଗରୁ ଚାଲି ଚାଲି ଝରଣା ଓ ଜିତେନ୍ଦ୍ର ଆସୁଥିଲେ। ସେମାନେ ଫୁଟପାଥ୍‌ରେ ଚାଲି ଚାଲି ଯାଉଥିଲେ। ବିଧାନସଭା ମୁଖ୍ୟ ଫାଟକ ନିକଟରେ ହଠାତ୍ ଜିତେନ୍ଦ୍ର ମା’ ଝରଣାଙ୍କୁ ତଳେ ପକାଇ ଦେବା ସହ ତାଙ୍କ ବେକରେ ଏକ ଛୁରି ଲଗାଇ ଦେଲା। ଝରଣା କିଛି ବୁଝିନପାରି ଉଠିବାକୁ ଛଟପଟ ହେବାରୁ ଜିତେନ୍ଦ୍ର ବେକ କାଟିଦେବ ବୋଲି ଧମକ ଦେଲା। ଫଳରେ ଭୟରେ ମା ଝରଣା ଚୁପ୍‌ଚାପ ପଡ଼ି ରହିଲେ। ଜିତେନ୍ଦ୍ର ତାଙ୍କ ବେକକୁ ଜାବୁଡ଼ି ଧରି ଗର୍ଜନ କରିବାକୁ ଲାଗିଲା। ମୁଖ୍ୟ ରାସ୍ତାରେ ଏଭଳି କାଣ୍ଡ ଦେଖି ଯାତାୟତ କରୁଥିବା ଗାଡ଼ ମଟର ଅଟକି ଯାଇଥିଲା। ସେଠାରେ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତା ପାଖକୁ ମାଡ଼ି ଆସିଲେ। କିନ୍ତୁ ଜିତେନ୍ଦ୍ର ସେମାନଙ୍କୁ ଧମକ ଦେଲା। ପାଖକୁ ଆସିଲେ ମା’ର ବେକ କାଟିଦେବ ବୋଲି କହିଲା। ତେଣୁ ପୁଲିସ ପଛଘୁଞ୍ଚା ଦେଲା ଓ ମଉକାକୁ ଅପେକ୍ଷା କଲା। ଖବର ପାଇ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିବାରୁ ଜିତେନ୍ଦ୍ର ସେମାନଙ୍କୁ ମଧ୍ୟ ପାଖକୁ ନ ଆସିବାକୁ ଧମକାଇଲା। ତେବେ ବୁମ୍‌ ଆଗରେ ଅଧିକ ଗପିଲା। ପୁରା ଉତ୍ତେଜିତ ହୋଇ ସେ ପୁରୀ ଏମାଣ ମଠ ଓ ରତ୍ନଭଣ୍ଡାରରୁ ବହୁ ସମ୍ପତ୍ତି ଚୋରି ହୋଇଛି ବୋଲି କହିଲା। ମନ୍ତ୍ରୀ ଅରୁଣ ସାହୁ ଓ ବିକ୍ରମ ଆରୁଖଙ୍କୁ ବିଗେଷ୍ଟ ଥିଫ୍ ବୋଲି କହିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଇନୋସେଣ୍ଟ ବୋଲି କହୁଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ତାକୁ ବୁଝାଶୁଝା କରୁଥିଲେ ବି ସେ ସେମାନଙ୍କୁ ‘ସାଇଲେଣ୍ଟ, ଲିସିନ୍‌ ମି’ ବୋଲି କହି ଧମକାଇଲା। ତେବେ ଏତିକିବେଳେ ପୁଲିସ ବଡ଼ କାଇଦାରେ ତା ଆଗ ପଛରେ ରହି ଛୁରିକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ତାକୁ ବାଇଟ୍‌ ଦେବାରେ ବ୍ୟସ୍ତ ରଖିବା ମଉକାରେ ଜଣେ ପୁଲିସ ଅଧିକାରୀ ହଠାତ୍‌ ତା’ର ଛୁରି ଧରିଥିବା ହାତକୁ ଟାଣି ନେଇଥିଲେ ଓ ମହିଳା ପୁଲିସ କର୍ମଚାରୀ ମା’ ଝରଣାଙ୍କୁ ଭିଡ଼ି ନେଇଥିଲେ। ଏହା ପରେ ଜିତେନ୍ଦ୍ରକୁ ଓ ପୁଲିସ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ଓ ଅନ୍ୟ ଏକ ଗାଡ଼ିରେ ମା’ଝରଣାଙ୍କୁ ମଧ୍ୟ ହସ୍ପିଟାଲ ନିଆଯାଇଥିଲା।

ମା’ ଝରଣାଙ୍କ କହିବା କଥା ସେ ଗତ ପ୍ରାୟ ୭/୮ ବର୍ଷ ତଳେ ତାଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହି ମହିଳାଙ୍କ ଆତ୍ମା ତାଙ୍କ ପୁଅ ଦେହରେ ରହିଛି। ଫଳରେ ସେ ଏମିତି ଆଚରଣ କରୁଛି। ମଝିରେ ମଝିରେ ତାଙ୍କୁ ମାରପିଟ୍‌ କରୁଛି। ସେ ହସ୍ପିଟାଲ ନେଇ ଜିତେନ୍ଦ୍ର ମୁଣ୍ଡ ସ୍କାନିଂ କରାଇଛନ୍ତି, କିନ୍ତୁ କିଛି ରୋଗ ଜଣାପଡ଼ୁନାହିଁ। ଭୁତ ସବାର ହୋଇଥିବାରୁ ଜିତେନ୍ଦ୍ର ଏମିତି କରୁଛି ବୋଲି ଝରଣା କହିଥିଲେ। ସେମାନେ କେମିତି ଭୁବନେଶ୍ବର ଆସିଲେ ବୋଲି ପ୍ରଶ୍ନରେ ଝରଣା‌ କହିଥିଲେ ଯେ ଗତକାଲିଠାରୁ ସେମାନେ ହସ୍ପିଟାଲ ଆସିଥିଲେ ଓ ହସ୍ପିଟାଲରୁ ଫେରୁଥିଲେ। ହଠାତ୍ ଜିତେନ୍ଦ୍ର ଏମିତି କରିବ ବୋଲି ସେ ଜାଣିନଥିଲେ। ଝରଣାଙ୍କ ଏହି କଥା କେତେ ସତ, ତାହାକୁ ନେଇ ପୁଲିସ ଛାନ୍‌ଭିନ୍ ଚଳାଇଛି। ସେହିଭଳି ଜ‌ିତେନ୍ଦ୍ର ମାନସିକ ରୋଗୀ ବୋଲି ଜଣାପଡ଼ୁଥିଲେ ମଧ୍ୟ ଆଜିର କାଣ୍ଡ ପଛରେ ଆଉ କିଛି ରହସ୍ୟ ରହିଛି କି ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି। ମାନସିକ ରୋଗୀ ହୋଇଥିଲେ ମଧ୍ୟ ଝରଣା କିଭଳି ଜିତେନ୍ଦ୍ର ସହିତ ଏକାକୀ ଭୁବନେଶ୍ବର ଆସିଥିଲେ, ରାତିରେ କୋଉଠି ରହିଥିଲେ ଓ କେଉଁ ଡାକ୍ତରଖାନା ଯାଉଥିଲେ, ତାହା ଉପରେ ପୁଲିସ ଛାନ୍‌ଭିନ୍ କରୁଛି।

ଅପରପକ୍ଷେ ୧୪୪ ଧାରା ଜାରି ହୋଇଥିବା ରାସ୍ତାରେ ପୁଲିସର କଡ଼ା ସୁରକ୍ଷା ବଳୟକୁ ଭେଦ କରି ଜଣେ ଯୁବକ କିଭଳି ଛୁରି ଧରି ଆସିଲା, ତାହାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ବିଧାନସଭା ଚାଲୁଥିବାବେଳେ ସଚ୍ଚିବାଳୟ ମାର୍ଗରେ ଏଭଳି କାଣ୍ଡ ଘଟିବା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟ କରିଛି। ହୁଏତ ଟିକିଏ ଅସାବାଧାନତାରୁ ବିଚ୍‌ ରାସ୍ତାରେ ଦିନ ଦି’ପହରେ ସମସ୍ତଙ୍କ ସମ୍ମୁଖରେ ଜଣେ ମା’ ତାଙ୍କ ନିଜ ପୁଅ ହାତରେ ମୃତ୍ୟୁବରଣ କରିଥାଆନ୍ତା! ପୂର୍ବରୁ ଖୋଦ୍‌ ପୁଲିସ ଡିଜିପି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ତଥାପି ଏଭଳି ଢିଲା ହେଲା କେମିତି? ଏଭଳି ଅନେକ ପ୍ରଶ୍ନ କମିସନରେଟ୍‌ ପୁଲିସର ପାରିବା ପଣିଆ ଉପରକୁ ଆଙ୍ଗୁଠି ଉଠାଇଛି। ତେବେ ଏହି ଘଟଣା ସୁରକ୍ଷା ବଳୟ ଭିତରେ ଘଟି ନାହିଁ କିମ୍ବା ଏଥିରେ ସୁରକ୍ଷା ବ୍ୟବସ୍ଥାରେ କମିସନରେଟ୍‌ ପୁଲିସର ତ୍ରୁଟି ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବରଂ ପୁଲିସ କର୍ମଚାରୀମାନେ ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ ଓ ବୃତ୍ତିଗତ ଦକ୍ଷତାର ସହ ମହିଳାଙ୍କୁ ତାଙ୍କ ପୁଅ କବଳରୁ ନିରାପଦ ଭାବେ ଉଦ୍ଧାର କରିଥିବାରୁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ଜିତେନ୍ଦ୍ରଙ୍କ ଘ‌ରେ ଏକ ହତ୍ୟାକାଣ୍ଡ ହୋଇଥିଲା। ଜଣେ ଯୁବକ ଘରେ ପଶି ଝରଣାଙ୍କୁ ହତ୍ୟା ଉଦ୍ୟମ କରୁଥିବା ବେଳେ ନିଜକୁ ରକ୍ଷା କରିବାକୁ ଯାଇ ପରିବାରବର୍ଗ ତାକୁ ଆକ୍ରମଣ କରିଥିଲେ। ଫଳରେ ସମ୍ପୃକ୍ତ ଯୁବକର ମୃତ୍ୟୁ ହୋଇଥିଲା। ହତ୍ୟା ଅଭିଯୋଗରେ ଜିତେନ୍ଦ୍ରଙ୍କ ବାପା ରମେଶ ଓ ମା’ ଝରଣାଙ୍କୁ ଗିରଫ କରାଯାଇଥିଲା। ୬ ମାସ ପରେ ଉଭୟ ମା ଓ ବାପା ଜାମିନ୍‌ରେ ମୁକୁଳିଥିଲେ। ସେହିଦନଠାରୁ ଜିତେନ୍ଦ୍ରଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର