ଦକ୍ଷତା ଅନୁଯାୟୀ କାମ ନମିଳିବାରୁ ପୁଣି ତାମିଲନାଡୁ ଫେରିଲେ ଦକ୍ଷତା ତାଲିମଧାରୀ!

ନବରଙ୍ଗପୁର ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଅଟକ

ନବରଙ୍ଗପୁର: କରୋନା କଟକଣା ଯୋଗୁଁ କାମ ଧନ୍ଦା ନପାଇ ପ୍ରାୟ ୧୫ ହଜାର ପ୍ରବାସୀ ନବରଙ୍ଗପୁର ଜିଲ୍ଲାକୁ ଫେରିଛନ୍ତି। ସେମାନେ ଫେରିବାର ୫ ମାସ ପରେରେ ଜିଲ୍ଲାରେ ଦକ୍ଷତାଭିତ୍ତିକ କାମଧନ୍ଦା ମିଳିଲା ନାହିଁ। ଏପଟେ ଜିଲ୍ଲା ପ୍ରଶାସନ ଫେରିଥିବା ଶ୍ରମିକ ମାନଙ୍କର ଦକ୍ଷତା ମ୍ୟାପିଂ କରିଛନ୍ତି। ଦକ୍ଷତା ମ୍ୟାପିଂ କରି ନିଜ ଅଞ୍ଚଳରେ କାମ ଧନ୍ଦା ଯୋଗାଇଦିଆଯିବ ବୋଲି ଘୋଷଣା କରିଥିଲେ। ତଥାପି କାମ ଧନ୍ଦା ମିଳିଲା ନାହିଁ। କରୋନାକୁ ଭୟ ଥିଲେ ବି ଜୀବନ ଜୀବିକା ପାଇଁ ଯୁବକ ଓ ଯୁବତୀ ପୁଣି ତାମିଲନାଡୁକୁ ଫେରୁଥିଲେ।

ତାମିଲନାଡୁ ଫେରିବା ବେଳେ ଶ୍ରମ ବିଭାଗ ହାବୁଡରେ ପଡିବା ପରେ ନବରଙ୍ଗପୁରରେ ଅଟକ ରହିଥିଲେ। ଫେରୁଥିବା ଶ୍ରମିକମାନେ ହେଲେ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର ବେକାର ଯୁବକ ଓ ଯୁବତୀ। ସେମାନେ ତାମିଲନାଡୁକୁ ସିଲେଇ କାମ କରିବା ପାଇଁ ଯାଉଥିଲେ।

ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ପଞ୍ଜିକରଣ କରିବା ଏବଂ ଯେଉଁ ବ୍ୟକ୍ତି ତାଙ୍କୁ ଆସି ନେଉଥିଲେ ତାଙ୍କ ଲାଇସେନସ୍‌ କରିବା ପାଇଁ ତାଗିଦ କରିଥିଲେ। ସେମାନେ ପଞ୍ଜିକରଣ କରିବା ପରେ ଶ୍ରମ ବିଭାଗ ପକ୍ଷରୁ ଛଡାଯାଇଥିଲା।

ଖବର ନେବାରେ ଜଣାପଡିଥିଲା ଯେ ତାମିଲନାଡୁ ଯିବା ପାଇଁ ବାହାରିଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୬ ଜଣ ଯୁବତୀ ଓ ୬ ଜଣ ଯୁବକ। ଏଥିରେ ମାଲକାନାଗିରି ଜିଲ୍ଲାର ୫ ଜଣ, ନୂଆପଡା ଜିଲ୍ଲାର ୨ ଜଣ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ୫ ଜଣ, ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକର ଅନ୍ୟ ୧୦ ଜଣ। ଚାଲାଣ ହେଉଥିବା ଏହି ଯୁବକ ଓ ଯୁବତୀମାନେ ତାମିଲନାଡୁର ତିରୁପୁରା ନିକଟରେ ଥିବା ଭିକିଂ କଣ୍ଟେଇନର ନାମକ ଏକ ଗାରମେଣ୍ଟ କମ୍ପାନିରେ କାମ କରିବା ପାଇଁ ଯାଉଥିଲେ। ସେହି ସଂସ୍ଥାର ନବୀନ କୁମାର ନାମକ ଜଣେ କର୍ମଚାରୀ ଏକ ବସ୍‌ ଯୋଗେ ଆସି ଏମାନଙ୍କୁ ଆସି ନେଉଥିଲେ।

ଶ୍ରମ ବିଭାଗ ସେମାନଙ୍କୁ ଅଟକାଇବା ପରେ ତାଙ୍କ ପାଖରେ ଶ୍ରମିକ ନେବା ପାଇଁ କୌଣସି ଲାଇସେନସ୍‌ ନଥିଲା କି ଯେଉଁ ବେକାର ଯୁବକ ଓ ଯୁବତୀମାନେ କାମ କରିବା ପାଇଁ ଯାଉଥିଲେ। ସେମାନେ କୌଣସି ସ୍ଥାନରେ ପଞ୍ଜିକରଣ କରିନଥିଲେ।

ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗୋଇପାଇ ଶ୍ରମିକ ନେବା ପାଇଁ ଲାଇସେନସ୍‌ କରିବା ସହ ଯୁବକ ଓ ଯୁବତୀମାନେ ପଞ୍ଜିକରଣ କରିବା ପରେ ହିଁ ଯାଇପାରିବେ ବୋଲି କହିବା ପରେ ଲାଇସେନସ୍‌ କରାଯାଇଥିଲା ଓ ଯୁବକ ଯୁବତୀମାନେ ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ କରିବା ପରେ ଛଡାଯାଇଥିଲା।

ଚାଲାଣ ହେଉଥିବା ଯୁବକ ଓ ଯୁବତୀମାନେ କହିଛନ୍ତି ସେମାନେ ଉକ୍ତ ସଂସ୍ଥାରେ ପୂର୍ବରୁ ସିଲେଇ କାମ କରୁଥିଲେ। ତାଙ୍କୁ ରହିବା ଓ ଖାଇବା ଦେବା ସହ ମାସିକ ୮ ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। ସେମାନେ ଗତ ଜାନୁଆରିରେ ଘରକୁ ଫେରିଥିଲେ। ତା ପରେ ମାର୍ଚ୍ଚ ମାସ ଠାରୁ ଲକଡାଉନ ରେ ଫସି ରହିଥିଲେ। ଏ ମଧ୍ୟରେ ସେମାନେ ଗାଁରେ ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ରହିଲେ ମଧ୍ୟ ତାଙ୍କୁ କାମ ଧନ୍ଦା ମିଳିଲା ନାହିଁ। ଭିଷ୍ମ ତାଣ୍ଡି, ଗୌତମ ମାଝୀ, ମାନସିଂ ଜଗତ ଆଦି କହିଛନ୍ତି ଯେ ସେମାନେ ଯେଉଁ କାମ କରିବା ପାଇଁ ଚାହୁଁଛନ୍ତି ସେହି କାମ ନିଜ ଅଞ୍ଚଳରେ ମିଳିଲା ନାହିଁ। ଆମେ କଣ ମାସିକ ୫ କେଜି ଚାଉଳରେ ବଞ୍ଚିପାରିବୁ କି? ଏହି ସମୟ ମଧ୍ୟରେ ଆମକୁ କମ୍ପାନି ଆମ ସହ ଯୋଗାଯୋଗ କରି ଆମକୁ ନେବାକୁ ଆସିବା ପରେ ଆମେ କାମ କରିବା ପାଇଁ ଯାଉଛୁ ବୋଲି କହିଛନ୍ତି।

ଗତ ମାସରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ନବରଙ୍ଗୁପୁର ଗସ୍ତ ବେଳେ ଫେରିଥିବା ଶ୍ରମିକମାନଙ୍କ ଦକ୍ଷତା ଭିତ୍ତିକ ମ୍ୟାପିଂ କରାଯାଇ ତାଲିକା ପ୍ରସ୍ତୁତ ଚାଲିଛି। ଦକ୍ଷତା ମ୍ୟାପିଂ ସରିବା ପରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସହାୟତା ଓ ନିଜ ଅଞ୍ଚଳରେ କାମ ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ତେବେ ଏ ମଧ୍ୟରେ ଜିଲ୍ଲାରେ ଦକ୍ଷତା ମ୍ୟାପିଂ ସରିଛି। ତେବେ କେବେ ଦକ୍ଷତା ଅନୁଯାୟୀ କାମ ମିଳିବ ଏବଂ ନଚେତ କେବେ ଲକଡାଉନ ଉଠିବ ସେମାନେ ପୁଣି ତାଙ୍କ କର୍ମସ୍ଥଳକୁ ଫେରିବେ ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର