ଯୁବକଙ୍କ ବଦାନ୍ୟତା: ରାତିରେ ଆସି ରକ୍ତଦାନ କରି ଦୁଇ ଗର୍ଭବତୀଙ୍କ ଜୀବନ ବଂଚାଇଲେ 

ଜୟପୁର: ଅତି ଗମ୍ଭୀର ସ୍ଥିତିରେ ରହିଛି ଜୟପୁର ରକ୍ତଭଣ୍ଡାର। କୌଣସି ବର୍ଗର ଗୋଟିଏ ବି ୟୁନିଟ୍ ରକ୍ତ ଏବେ ରକ୍ତଭଣ୍ଡାରରେ ନାହିଁ। ଜରୁରୀ ସମୟରେ ରୋଗୀଙ୍କ ସଂପର୍କୀୟ ମାନଙ୍କୁ ହନ୍ତସନ୍ତ ହେବାକୁ ପଢ଼ୁଛି। ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ଜରୁରୀ ରୋଗୀଙ୍କୁ ବି ଗୋଟିଏ ୟୁନିଟ୍ବି ଯୋଗାଇ ଦେବା ସମ୍ଭବ ପର ହେଉନି। ଗତ କାଲି ରାତିରେ ଏଭଳି ୨ଜଣ ଜରୁରୀ ଗର୍ଭବତୀ ମହିଳାଙ୍କୁ ୨ଜଣ ଯୁବକ ରାତି ସାଢ଼େ ୧୦ଟା ଓ ୧୧ଟାରେ ନିଜ କାମ ଛାଡ଼ି ଆସି ସ୍ବେଚ୍ଛାକୃତ ରକ୍ତଦାନ କରି ନିଜ ମହାନତାର ପରିଚୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ କାଲି ସଂଧ୍ୟାରେ କୁନ୍ଦ୍ରା ବ୍ଲକର ବାଣୁଆଗୁଡା ଗାଁର ସଇତା କମାର ନାମକ ଗର୍ଭବତୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ସଇତାଙ୍କର ରକ୍ତସ୍ରାବ ହେଉଥିଲା ଏବଂ ହିମୋଗ୍ଲୋବିନ୍ ୪.୫ ରହିଥିଲା। ଚିକିତ୍ସା କରୁଥିବା ଡାକ୍ତର ଜଣକ ତୁରନ୍ତ ‘‘ଏ ବି’’ ପଜିଟିଭ୍ ଗୃପର ରକ୍ତ ଯୋଗାଡ଼ କରି ଦେବାକୁ କହିଥିଲେ। ସଇତାଙ୍କ ପରିବାରବର୍ଗ ଜୟପୁର ରକ୍ତଭଣ୍ଡାରକୁ ରକ୍ତ ପାଇଁ ଯାଇଥିଲେ। ତେବେ ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ପରିବାରବର୍ଗ କଣ କରିବେ ଚିନ୍ତାରେ ପଢ଼ିଥିଲେ। ଏମାନେ ରାତି ୯ଟାରେ ରକ୍ତଦାତା ପ୍ରବର୍ତ୍ତକ କାର୍ତ୍ତିକ ରାଉତ ଓ ଜୟପୁର ରକ୍ତଦାନ ଗୃପର ମନୋହର ତ୍ରିପାଠୀଙ୍କୁ ଯୋଗାଯୋଗ କରିଥିଲେ। ଉଭୟ ସହରର ଏହି ଗୃପର ଥିବା ବହୁ ଯୁବକଙ୍କ ସହ ଯୋଗାଯୋଗ କରିଥିଲେ ହେଁ ରାତିରେ କେହି ଆସି ରକ୍ତଦାନ କରିବାକୁ ରାଜି ହୋଇ ନଥିଲେ।

ଏମାନେ ସ୍ଥାନୀୟ ଲିଙ୍ଗରାଜନଗରର ପ୍ରଭାତ ବ୍ରହ୍ମାଙ୍କୁ ଯୋଗାଯୋଗ କରିଥିଲେ। ପ୍ରଭାତଙ୍କର ଅତ୍ୟନ୍ତ ଜରୁରୀ କାମ ରହିଥିବା ସତ୍ବେ ସେ ରାତି ସାଢ଼େ ଦଶଟା ବେଳେ ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସେଭଳି ଆଉ ଜଣେ ମାନସିକ ଭିନ୍ନକ୍ଷମ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ନିଜର ବୋଲି କେହି ନାହାନ୍ତି। ମହିଳା ଜଣକର ହିମୋଗ୍ଲୋବିନ୍ ୬.୫ ରହିବା ସହ ତୁରନ୍ତ ଏହି ମହିଳାଙ୍କୁ ରକ୍ତ ଦେବାର ଆବଶ୍ୟକତା ରହିଥିଲା।

ଏସଂପର୍କରେ ଶ୍ରୀରାଉତ ଓ ଶ୍ରୀ ତ୍ରିପାଠୀ ସୂଚନା ପାଇବା ପରେ ଏକ ଖବରକାଗଜରେ କାର୍ଯ୍ୟକରୁଥିବା ସୁଧିର ମାଦଳାଙ୍କୁ ଏମାନେ ଯୋଗାଯୋଗ କରିବା ସହ ଜରୁରୀ ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହା ଜାଣିବା ପରେ ସୁଧିର ନିଜ କାମ ଛାଡ଼ି ରାତି ୧୧ଟା ବେଳେ ଆସି ‘‘ଓ’’ପଜିଟିଭ୍ ରକ୍ତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଭଣ୍ଡାରର ଟେକ୍ନିସିୟନ ଅଭୟ ପଣ୍ଡା, ଶ୍ରୀ ରାଉତ, ଶ୍ରୀ ତ୍ରିପାଠୀ ରାତି ଗୋଟାଏ ପର୍ଯ୍ୟନ୍ତ ରହି ଉଭୟ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେବାର ବ୍ୟବସ୍ଥା ବି କରିଥିଲେ। ରକ୍ତଦାନ ମହତ ଦାନ, ମାତ୍ର ଗୋଟିଏ ୟୁନିଟ୍ ରକ୍ତରେ ଯଦି ଜଣେ ଗର୍ଭବତୀ ମହିଳାଙ୍କର ଜୀବନ ବଂଚୁଛି ତା ଠାରୁ ଜୀବନରେ ବଡ଼ କଥା ଆଉ କିଛି ନୁହେଁ ବୋଲି ଉଭୟ କହିଛନ୍ତି। ଉଭୟ ଆଜି ନିଜ ଜୀବନ ସାର୍ଥକ ହୋଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର