ଓଡ଼ିଆ ଯୁବକଙ୍କୁ ପରିବାର ଲୋକଙ୍କ ସହିତ କଥା କରାଇ ଦେଉନି ଦୁବାଇର କଂପାନି, ଉଦ୍ଧାର ପାଇଁ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଲୋଡିଲେ ବୈଜୟନ୍ତ

ଭୁବନେଶ୍ବର: ଦୁବାଇରେ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି। ନିଖୋଜ ଅସୁସ୍ଥ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅସୁସ୍ଥ ଓଡିଆ ଯୁବକ ଲକ୍ଷ୍ମୀଧର ପରିଡାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁଏକ ଚିଠି ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନମଉଜାରବେତ ଗାଁର ରବୀନ୍ଦ୍ର ପରିଡାଙ୍କ ପୁଅ ଲକ୍ଷ୍ମୀଧର ଗତ ୪ ବର୍ଷ ଧରି ଦୁବାଇର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଲକ୍ଷ୍ମୀଧର ନିୟମିତ କଥା ହେଉଥିଲେ। କିନ୍ତୁ ଗତ ୧୫ ଦିନ ହେବ ଲକ୍ଷ୍ମୀଧର ନିଜ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରି ନାହାନ୍ତି। ତାଙ୍କର କୌଣସି ଖୋଜଖବର ମିଳୁନାହିଁ। ପରିବାର ଲୋକ ଲକ୍ଷ୍ମୀଧରଙ୍କ ସହ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରିଥିଲେ। ସେ କାମ କରୁଥିବା କମ୍ପାନି କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ପାଇଲେ ଯେ ଲକ୍ଷ୍ମୀଧର ଏବେ ଅସୁସ୍ଥ ଏବଂ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଲକ୍ଷ୍ମୀଧରଙ୍କ ସହ କଥା ହେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁମତି ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅନ୍ୟପଟରେ ପୁଅର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ଥିବା ପରିବାର ଲୋକ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଦୁବାଇରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଲକ୍ଷ୍ମୀଧରଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର