କୋଭିଡ୍‌ଠାରୁ ହାରିଗଲେ ଗୋଟିଏ ପରେ ଗୋଟିଏ ଜଟିଳ ଯୁଦ୍ଧ ଜିତି ଚାଲିଥିବା ‌ଯୁବ ପାରାଆଥ୍‌ଲେଟ୍ ରୋହନ୍ ସରାଫ

ସମ୍ବଲପୁରରେ ଶୋକ

ସମ୍ବଲପୁର : ଜୀବନରେ ଗୋଟିଏ ପରେ ଗୋଟିଏ ଜଟିଳ ଯୁଦ୍ଧ ଜିତି ଚାଲିଥିବା ସମ୍ବଲପୁରର ଯୁବ ପାରାଆଥ୍‌ଲେଟ୍ ରୋହନ୍ ସରାଫ (୧୯) ଶେଷରେ କରୋନାଠାରୁ ହାରିଗଲେ। ଏମ୍‌ସ ଭୁବନେଶ୍ବରରେ ବର୍ଷକ ମଧ୍ୟରେ ତିନି ତିନିଟି ଜଟିଳ ଅସ୍ତ୍ରୋପଚାର ପରେ ଜୀବନ ପଥରେ ଆଗେଇ ଯିବା ପାଇଁ ସଳଖି ଆସୁଥିବା ରୋହନ୍‌ଙ୍କ ଜୀବନ ଗୋଟିଏ ରାତିରେ ନେଇଗଲା କୋଭିଡ୍‌। ଏଥର ଏମ୍‌ସରେ ତୃତୀୟ ତଥା ଶେଷ ଅସ୍ତ୍ରୋପଚାର ହୋଇଥିଲା ରୋହନ୍‌ଙ୍କର। ତାହା ବି ସଫଳ ହୋଇଥିଲା। ଖୁବ୍ ଖୁସି ଥିଲେ ରୋହନ୍। ଏଣିକି ନିଜେ ବସିବେ। ପୁଣିଥରେ ନିଜ କାମ ନିଜେ କରିବେ। ଅଧାରୁ ଛାଡ଼ିଥିବା +୨ ପାଠପଢ଼ା ପୂରା କରିବେ। ପୂରା ଯଦି ସୁସ୍ଥ ହୋଇଯିବେ ତା’ହେଲେ ପୁଣି ପଡ଼ିଆକୁ ଓହ୍ଲାଇବେ। ସବୁବେଳେ ଏସବୁ କଥା କହି ଭବିଷ୍ୟତର ସ୍ବପ୍ନ ଦେଖୁଥିଲେ। ହେଲେ ଗୋଟିଏ ରାତିରେ ତାଙ୍କର, ବାପା, ମା’ଙ୍କର ସବୁ ସ୍ବପ୍ନ ଶେଷ ହୋଇଯିବ ସେକଥା କେହି ଚିନ୍ତା ବି କରି ନଥିଲେ।

ସୋମବାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରୋହନ୍‌ଙ୍କ କୋଭିଡ୍‌ ପଜିଟିଭ୍ ରିପୋର୍ଟ ଆସିଥିଲା। ଡାକ୍ତର କହିଲେ କୋଭିଡ୍ ଥିବାରୁ ସାଧାରଣ ୱାର୍ଡରେ ରହିବା ଉଚିତ ହେବ ନାହିଁ। ଆପଣ ନେଇଥିବା ଭଡ଼ା ଘରକୁ ଚାଲିଯା’ନ୍ତୁ। କୋଭିଡ୍‌ମୁକ୍ତ ହୋଇଗଲା ପରେ ପୁଣିଥରେ ଯାଞ୍ଚ କରି ଘରକୁ ନେଇଯାଇ ପାରିବେ। ଡାକ୍ତରଖାନାରୁ ସେଦିନ ଭଡ଼ା ଘରକୁ ସ୍ଥାନାନ୍ତର ହୋଇଥିଲେ ରୋହନ୍। କିନ୍ତୁ ରାତିରେ ହିଁ କୋଭିଡ୍ ଜନିତ ହୃଦ୍‌ଘାତରୁ ଜୀବନ ଚାଲି ଯାଇଥିଲା। ହଠାତ୍ ଅବସ୍ଥା ଗୁରୁତର ହେବାରୁ ନିକଟରେ ଥିବା ଡାକ୍ତରଖାନା ପର୍ଯ୍ୟନ୍ତ ଜୀବନ୍ତ ପହଞ୍ଚି ପାରି ନଥିଲେ ରୋହନ୍। ହସ୍‌ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ରାତି ବି ପୁଅକୁ ସମ୍ଭାଳି ପାରିଲି ନାହିଁ ବୋଲି ବାହୁନି ହେଉଥିବା ରୋହନ୍‌ଙ୍କ ମା’ କଳ୍ପନାଙ୍କ ଆଖିରୁ ଲୁହ ଶୁଖୁ ନାହିଁ। ପିତା ଦିଲୀପ ସରାଫ୍‌ଙ୍କ ମୁହଁରୁ ବି କଥା ବାହାରୁ ନାହିଁ। ରୋହନ୍‌ଙ୍କ ହଠାତ୍ ମୃତ୍ୟୁରେ ସମ୍ବଲପୁରବାସୀ, ବିଶେଷ କରି ତାଙ୍କୁ ଜାଣିଥିବା ଓ ଭଲ ପାଉଥିବା ଲୋକ ସ୍ତବ୍‌ଧ ହୋଇ ଯାଇଛନ୍ତି। ସମ୍ବଲପୁରର ଜଣେ ଗୌରବଙ୍କୁ ହରାଇ ଆମେ ମର୍ମାହତ ବୋଲି ସ୍ବଇଚ୍ଛା ଅନୁଷ୍ଠାନ ପକ୍ଷରୁ କହାଯାଇଛି। ସ୍ବଇଚ୍ଛାର ଦିଲୀପ ପଣ୍ଡା, ସୁବ୍ରତ ନାଥ, ରାଜେଶ ଚୈନି, ଅନୁଜ ଜେନା, ମୋହନ ଦାଶ, ସୁଜାତା ଗୁରୁ, ଉତ୍ସର୍ଗର ସୁଧୀର ପୂଜାରୀ, ବିକାଶ ତ୍ରିପାଠୀ, ଭିମସାର୍‌ର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଂକର ରାମଚନ୍ଦାନୀ, ସମାଜସେବୀ ଅଶୋକ ଜଲାନ, ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଦୁଲାଲ ପ୍ରଧାନ, ସାଧାରଣ ସଂପାଦକ ସୁନୀଲ ସାହୁ, ଆଥ୍‌ଲେଟିକ୍ ସଂପାଦକ ବିକାଶ ମିଶ୍ର ପ୍ରମୁଖ ରୋହନ୍‌ଙ୍କ ଆକସ୍ମିକ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବଲପୁର ମହାନ୍ତିପଡ଼ା ନିବାସୀ ଦିଲୀପ ଏବଂ କଳ୍ପନାଙ୍କ ପୁଅ ରୋହନ୍‌ ହାତ ଗୋଡ଼ରେ ଖଞ୍ଜା ନଥିବା କାରଣରୁ ଜନ୍ମରୁ ଭିନ୍ନକ୍ଷମ। କିନ୍ତୁ ନିଜ ଯୁବାବସ୍ଥା ପର୍ଯ୍ୟନ୍ତ ଅତି ସକ୍ଷମତାର ସହ ଜୀବନ ଧାରଣ କରିଥିଲେ। ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ ପାରାକ୍ରୀଡ଼ାରେ କୃତିତ୍ବ ଅର୍ଜନ କରି ଅନେକ ପଦକ ଓ ପୁରସ୍କାର ଜିତିଥିଲେ। ବହୁ ପ୍ରତିଭାର ଅଧିକାରୀ ରୋହନ ସ୍ପେସିଆଲ୍ ଅଲିମ୍ପିକ୍ସ ଭାରତରେ ପଦକ ଜିତିଥିଲେ। ସେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ସମେତ ବିଭିନ୍ନ ଅନୁଷ୍ଠାନରୁ ଅନେକ ସମ୍ମାନଜନକ ପଦକ, ପୁରସ୍କାର ଜିତିଥିଲେ। ଭିନ୍ନକ୍ଷମ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ଉତ୍ସବରେ ୨୫ ହଜାର ଟଙ୍କା ଏବଂ କ୍ରୀଡ଼ା ମନ୍ତ୍ରୀ ୨୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁଦରୁ ଆରମ୍ଭ କରି ନିଜର ସବୁ କାମ ନିଜେ କରୁଥିଲେ। ସମ୍ବଲପୁରର ନୃସିଂହ ଗୁରୁ ଟାଉନ୍‌ ହାଇସ୍କୁଲ୍‌ରୁ ସଫଳତାର ସହ ମାଟ୍ରିକ୍ ପାସ୍‌ କରିଥିଲେ। +୨ରେ ନାମ ଲେଖାଇ ପାଠ ପଢ଼ୁଥିଲେ।

ଭିନ୍ନକ୍ଷମ ହେଲେ ବି ପୁଅକୁ ନେଇ ଗର୍ବ କରୁଥିଲା ପରିବାର। କିନ୍ତୁ ହଠାତ୍‌ ରୋହନ୍‌ଙ୍କ ଶରୀରରେ ଅସାଧାରଣ ପରିବର୍ତ୍ତନ ଆସିଲା। ଚଳଚଞ୍ଚଳ ରୋହନ୍ ୧୭ ବର୍ଷ ବୟସରେ ହଠାତ୍‌ ଏକ ଦୁଃସାଧ୍ୟ ‌ରୋଗରେ ପୀଡ଼ିତ ହୋଇ ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇଗଲେ। ୮ ଅକ୍ଟୋବର ୨୦୦୨ରେ ଜନ୍ମିତ ରୋହନ୍‌ଙ୍କର ମେରୁଦଣ୍ଡ ୨୦୧୮ ଶେଷ ଭାଗରେ ବଙ୍କେଇବା ଆରମ୍ଭ କଲା। ୨୦୧୯ ବେଳକୁ ମେରୁଦଣ୍ଡ ସହ ତାଙ୍କ ଶରୀର ଡାହାଣ ପାର୍ଶ୍ବକୁ ଧନୁ ଭଳି ବଙ୍କା ହୋଇଗଲା। ରୋହନ୍‌ଙ୍କ ଶରୀର ଏକପ୍ରକାର ଅଚଳ ହୋଇଗଲା। ନା’ ସେ ନିଜେ ଖାଇ ପାରିଲେ, ନା’ ଦସ୍ତଖତ କରି ପାରିଲେ। କଡ଼ ଲେଉଟାଇବାଠୁ ଆରମ୍ଭ କରି ଦୈନନ୍ଦିନ ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ ହୋଇଗଲେ। ଏହାପରେ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ସେ +୨ ପରୀକ୍ଷା ଦେଇପାରିଲେ ନାହିଁ। ରୋହନ୍‌ଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନା ନିଆଗଲା। କିନ୍ତୁ ସେଠାରେ ତାଙ୍କ ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ। ପୁଅକୁ ଏମ୍‌ସକୁ ନେଇ ଚିକିତ୍ସା କରାଇବାକୁ ତାଙ୍କ ପିତାମାତା ଆଗ୍ରହୀ ଥିଲେ। କିନ୍ତୁ ଅର୍ଥ ସମେତ ବିଭିନ୍ନ ସମସ୍ୟା ବାଧକ ସାଜିଥିଲା। ରୋହନ୍‌ଙ୍କ ସଂପର୍କରେ ଗତ ବର୍ଷ ଜାନୁଆରି ମାସରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ, ରେଡ୍‌କ୍ରସ୍ ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ମାନେ ସହଯୋଗର ହାତ ବଢ଼ାଇଥିଲେ।

ପୁଅକୁ ନେଇ ଭୁବନେଶ୍ବର ଗଲେ ମାଆ କଳ୍ପନା ଓ ପରିବାର ଲୋକେ। ସେଠାକୁ ଏକାଧିକ ବାର ଯିବା ଭିତରେ ଡାକ୍ତର ତିନି ତିନିଥର ରୋହନ୍‌ଙ୍କ ବେକ, ଅଣ୍ଟା, ମେରୁଦଣ୍ଡ ଆଦି‌ର ଅସ୍ତ୍ରୋପଚାର କରିଥିଲେ। ରୋହନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ବେଶ ଉନ୍ନତି ବି ଆସିଥିଲା। ସେ ବସିବା ଆରମ୍ଭ କରିଥିଲେ। ଗତ ୭ ତାରିଖରେ ‌ତାଙ୍କର ଶେଷ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ବେଳେ ତାଙ୍କୁ ଭଲ ପାଉଥିବା ଲୋକେ ଯାଇ ରକ୍ତଦାନ ବି କରିଥିଲେ। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। ସମସ୍ତଙ୍କୁ ହତବାକ୍‌ କରି ରୋହନ୍ ଅସମୟରେ ଚାଲିଗଲେ। କୋଭିଡ୍ ନିୟମ ଅନୁଯାୟୀ ମଙ୍ଗଳବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ ରୋହନ୍‌ଙ୍କ ଅନ୍ତିମ ସଂସ୍କାର କରା ଯାଇଥିଲା।

ସମ୍ବନ୍ଧିତ ଖବର