ଭୁବନେଶ୍ୱର : ଆଗାମୀ ଦିନରେ ଦେଶରେ ଉତ୍ପାଦନ ଓ ଅର୍ଥନୀତିକୁ ବଢ଼ାଇବା ପାଇଁ ଯୁବକଯୁବତୀଙ୍କୁ ଦକ୍ଷତା ମାଧ୍ୟମରେ ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ କରିବାକୁ ପଡ଼ିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ହେଉଛି ଅମୃତ ମହୋତ୍ସବର ଅମୃତ ବିନ୍ଦୁ। ତେଣୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହାକୁ ସଂକଳ୍ପରେ ପରିଣତ କରି ଯୁବକମାନଙ୍କୁ ସଶକ୍ତ କରିବା ପାଇଁ ଏହି ସୁଯୋଗକୁ ଉପଯୋଗ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।
ଶୁକ୍ରବାର ଦିନ ବିଶ୍ୱକର୍ମା ପୂଜା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ବିଭିନ୍ନ ରାଜ୍ୟରୁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ଭର୍ଚୁଆଲ ପ୍ଲାଟଫର୍ମରେ ଉଦ୍ୟମିତା ପ୍ରଶିକ୍ଷକ ସମେତ ବିଭିନ୍ନ ବିଭାଗରେ ୩୬ ଜଣ ପ୍ରଶିକ୍ଷକଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି। ଏହା ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଜନ ଶିକ୍ଷଣ ସଂସ୍ଥାନର ହସ୍ତକଳା ପ୍ରଶିକ୍ଷକ ଚନ୍ଦ୍ରାବଳୀ ଖଟୁଆ, ଜନ ଶିକ୍ଷଣ ସଂସ୍ଥାର ବୈଷୟିକ ପ୍ରଶିକ୍ଷକ ଅଜୟ କୁମାର ସ୍ୱାଇଁ, ଆଇଟିଆଇରେ ମାଷ୍ଟର ଟ୍ରେନର ବିପିନ ବିହାରୀ ଗୌଡ଼ ଏବଂ ଆଇଟିଆଇରେ ଡିଜିଟି ମାଷ୍ଟର ଟ୍ରେନର ନିବେଦିତା ମୋହନପାତ୍ର। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ମୋଦୀ ସରକାର ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ନୂତନ ବ୍ୟବସାୟ ଏବଂ ସ୍କିଲିଂ ମଡେଲଗୁଡିକ ବିକଶିତ ହେଉଛି, ଯାହା ମହାମାରୀ ପରବର୍ତୀ ଦୁନିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏ ଦୃଷ୍ଟିରୁ ଆଗାମୀ ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ। ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ବିଦ୍ୟାର୍ଥୀଙ୍କୁ କୌଶଳ ସହ ରୋଜଗାର ଆଧାରିତ ଶିକ୍ଷା ପ୍ରଦାନ କରିବ। ପ୍ରଧାନମନ୍ତ୍ରୀଙ୍କ ମେକ୍ ଅନ୍ ଇଣ୍ଡିଆ ଏବଂ ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ କରିବା ବାସ୍ତବରେ ଦୂରଦୃଷ୍ଟିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଦେଶର ଆବଶ୍ୟକତା ବଢ଼ୁଥିବା ବେଳେ ଦକ୍ଷତା ଏବଂ ଉଦ୍ୟମିତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀଙ୍କୁ ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Dharmendra_Pradhan_EPS.jpg)