ଝାରସୁଗୁଡ଼ା: ପିପୁଲସ ଫୋରମ୍,ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠିର ମିଳିତ ଉଦ୍ୟମରେ ମାନସିକ ବିକାରଗ୍ରସ୍ତ ଓ ଅସହାୟ ପୁରୁଷମାନଙ୍କର ଚିକିତ୍ସା ଓ ଥଇଥାନ କେନ୍ଦ୍ର, ବଡ଼ମାଲସ୍ଥିତ ମିସନ ଆଶାଲୋକରେ ରବିବାର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମିସନ ଆଶାଲୋକରୁ ସୁସ୍ଥ ହୋଇ ୩ ଜଣ ଯୁବକ ସେମାନଙ୍କ ଘରକୁ ଫେରିଛନ୍ତି। ସେମାନେ ହେଲେ ନେପାଳର ଅଜୟ ପାଶୱାନ (୨୦), ଆସାମର ସଞ୍ଜୀବ ଖାକା (୩୫) ଓ ଝାରସୁଗୁଡ଼ାର ବିବେକ ଭୋଇ (୨୨)। ୯ ମାସ ତଳେ ସଦର ଥାନା ପୁଲିସ ଅଜୟଙ୍କୁ ଉଦ୍ଧାର କରିଥିବା ବେଳେ ସଞ୍ଜିବଙ୍କୁ ୨୦୨୧ରେ ବେଲପାହାଡ଼ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା।

Advertisment

ସେମାନେ ସୁସ୍ଥ ହୋଇ ପରିଚୟ ଦେବା ପରେ ଆଜି ସେମାନଙ୍କ ପରିବାର ଲୋକେ ପହଞ୍ଚି ସେମାନଙ୍କୁ ଘରକୁ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଉପଖଣ୍ଡୀୟ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ଏବଂ  ସାମାଜିକ କର୍ମୀ କବିତା ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। ବର୍ତ୍ତମାନ ଏହି କେନ୍ଦ୍ରରେ ୧୭୫ ଜଣ ମାନସିକ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନେ ସୁସ୍ଥ ହେବା ପରେ ସମାଜର ମୁଖ୍ୟସ୍ରୋତକୁ ଫେରାଇବା ପାଇଁ ଚିକିତ୍ସା ଏବଂ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ତାଲିମ ଦେବା ସହିତ ଯୋଗ ଓ ଧ୍ୟାନ ଆଦି ପ୍ରତିଦିନ କରାଯାଉଛି। କାର୍ଯ୍ୟକ୍ରମକୁ  ପିପୁଲସ ଫୋରମ ଓ କେନ୍ଦ୍ରର କର୍ମଚାରୀ ପରିଚାଳନା କରିଥିଲେ। ପିପୁଲସ ଫୋରମ୍ ତଥା ପଶ୍ଚିମ ଓଡ଼ିଶାର ମୁଖ୍ୟ ସଞ୍ଜୟ ଜେଠୀ ଧନ୍ୟବାଦ ଦେଇଥିଲେ।