ଯୁବକମାନେ ନ୍ୟାୟ ବିଭାଗରେ ଯୋଗ ଦିଅନ୍ତୁ: ମୁଖ୍ୟ ବିଚାରପତି

ବଅଁରପାଳରେ ସିଭିଲ୍‌ ଜଜ୍‌, ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ବଅଁରପାଳ : ନ୍ୟାୟ ବିଭାଗରେ ଯୋଗଦେବା ପାଇଁ ଯୁବକମାନେ ଆଗେଇ ଆସିବା ଉଚିତ। ଆଜି ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ସିଭିଲ୍‌ ଜଜ୍‌ କୋର୍ଟ ଓ ‌ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟନ ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭ‌ାବେ ଯୋଗଦେଇ ମୁଖ୍ୟ ବିଚାରପତି ଡ. ମୁରଲୀଧର କହିଛନ୍ତି ଯେ, ସମାଜରେ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହା ଆଖିରେ ଧନୀ, ଗରିବ ସମସ୍ତେ ସମାନ। ଏହିଠାରେ ହିଁ ଦୋଷୀକୁ ଦଣ୍ଡ ମିଳିଥାଏ ଓ ନିର୍ଦ୍ଦୋଷ ଛାଡ଼ ପାଇଥାଏ। ବର୍ତ୍ତମାନ ସମୟ ଆସିଛି, ଯୁବକମାନେ ଉତ୍ତମ ଶିକ୍ଷା ଲାଭକରି ନ୍ୟାୟ ବିଭାଗରେ ଯୋଗଦେବା ଆବଶ୍ୟକ। ସେହିପରି ନ୍ୟାୟାଳୟ ଜରିଆରେ ଅନବରତ ନ୍ୟାୟ ସେବା ଯୋଗାଉଥିବାରୁ ବିଚାରପତି ଓ ଓକିଲମାନେ ନିଜକୁ ଗର୍ବିତ ମନେକରିବା ଦରକାର ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ  ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତି ପ୍ରମଥ ପଟ୍ଟନାୟକ ଯୋଗଦେଇ ଓକିଲମାନେ ନ୍ୟାୟାଳୟର ସମ୍ମାନ ଓ ମର୍ଯ୍ୟାଦା ବଜାୟ ରଖିଲେ ଜନସାଧାରଣଙ୍କ ବିଶ୍ବାସଭାଜନ ହୋଇପାରିବେ ବୋଲି କହିଥିଲେ। ଅନୁଗୁଳ ଜିଲ୍ଲା ଜଜ୍‌ ଅଶାନ୍ତ କୁମାର ଦାସ ଅତିଥି ପରିଚୟ ଦେବା ସହ ମଞ୍ଚ ପରିଚାଳନା କରିଥିଲେ। ବଅଁରପାଳ ଓକିଲ ସଂଘ ଅଧ୍ୟକ୍ଷ ବିଧୁଭୂଷଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ସଂଘ ଉପଦେଷ୍ଟା ଭାସ୍କର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ, ଏସ୍‌ପି ଜଗମୋହନ ମୀନା ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି ଡ. ମୁରଲୀଧରଙ୍କ ଉପସ୍ଥିତିରେ ବଅଁରପାଳ ଜେଏମ୍‌ଏଫ୍‌ସି ସୃଷ୍ଟି ସାମନ୍ତ ଏକ ମଦ ମାମଲାର ସାକ୍ଷ୍ୟ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର