ସମ୍ବଲପୁର : ଚାଷୀ ବହୁ ପରିଶ୍ରମ କରି ସୁନାର ଫସଲ ଅମଳ କରିବା ପରେ ବେଳେବେଳେ ଅଦିନିଆ ବର୍ଷାରେ ଧାନ ଓଦା ହୋଇଯାଏ। ଚାଷୀ ମୁଣ୍ଡରେ ଚଡ଼କ ପଡ଼େ। କେତେବେଳେ ଧାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ ତ’ କେବେ ଆର୍ଦ୍ରତା ଯୋଗୁଁ ମିଲର୍ସ କଟ୍ନିଛଟ୍ନି କରି ଚାଷୀକୁ କମ୍ ମୂଲ୍ୟ ଦିଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁରର ତିନି ଜଣ ଜୀବବିଜ୍ଞାନୀ ଧାନ ଶୁଖାଇବା ପାଇଁ ଏକ ଯନ୍ତ୍ର ତିଆରି କରିଛନ୍ତି। ଏହାର ନାମ ରଖିଛନ୍ତି ‘ଧାନ୍ଶୁଖା-ପ୍ରୋ’।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆପଡ଼ାର ମହାମାୟା କଲେଜ୍ରେ ଉଦ୍ଭିଦବିଜ୍ଞାନ ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଜୀବବିଜ୍ଞାନ ଗବେଷକ ଐଶ୍ବର୍ୟ ଖମାରୀ ଏବଂ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ହାଇସ୍କୁଲ୍ର ଶିକ୍ଷକ ସରୋଜ କୁମାର ଭୋଇ ମିଳିତ ଭାବେ ଏହି ଯନ୍ତ୍ରଟିକୁ ତିଆରି କରିଛନ୍ତି। ଏହାର ପରିକଳ୍ପନାରେ ବନ୍ଧୁ ଦିବ୍ୟରାଜ ବେରିହା ସହାୟତା କରିଥିଲାବେଳେ କୃଷିକ୍ଷେତ୍ରରେ ଗବେଷଣାମୂଳକ କାର୍ଯ୍ୟ କରୁଥିବା ତାଙ୍କ ସଂସ୍ଥା ଡିଆର୍ ବାୟୋଟେକ୍ ଏହାକୁ ପ୍ରାୟୋଜିତ କରିଛି। ଆଗାମୀ ଦିନରେ ଚାଷୀର କାମରେ ଆସିବା ଭଳି ବଡ଼ ଆକାରରେ ଏହି ଯନ୍ତ୍ର ତିଆରି କରିବାକୁ ଏହି ବନ୍ଧୁମାନେ ଲକ୍ଷ୍ୟ ରଖିଛନ୍ତି। ଏ ସଂପର୍କରେ ମତ ଦେଇ ଶ୍ରୀ ବେରିହା କହିଛନ୍ତି ଯେ ଆମ ଅଞ୍ଚଳରେ ବିଶେଷ କରି ରବି ଫସଲ ଅମଳ ବେଳେ ଅଦିନିଆ ବର୍ଷା ହୋଇଥାଏ। ଏହି ବର୍ଷା ଅନେକ ସମୟରେ ଚାଷୀର ମେରୁଦଣ୍ଡ ଭାଙ୍ଗିଦିଏ। ଧାନ ଭିଜିଗଲେ ଚାଷୀର ଆଖିରୁ ଲୁହ ଶୁଖେ ନାହିଁ। ତେଣୁ ଧାନକୁ ଶୁଖାଇ ଚାଷୀକୁ ଉଚିତ ମୂଲ୍ୟ ପ୍ରଦାନରେ ସହାୟତା କରିବା ତଥା ଚାଷୀ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ଏହି ଯନ୍ତ୍ର ତିଆରି ହୋଇଛି। ଏହା ବଡ଼ ଆକାରରେ କରାଗଲେ ତଥା ସଫଳତାର ସହ ଉପଯୋଗ ହୋଇପାରିଲେ ଓଡ଼ିଶା, ବିଶେଷ କରି ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇ ପାରିବ ବୋଲି ସେ ମତ ଦେଇଛନ୍ତି।
ସେହିପରି ଧାନ ଭିଜିଯିବା କାରଣରୁ ନିଜ ଆତ୍ମୀୟ ସ୍ବଜନ ଓ ବନ୍ଧୁମାନେ ଭୋଗୁଥିବା କଷ୍ଟ ତାଙ୍କୁ ଏପରି ଏକ ଯନ୍ତ୍ର ତିଆରି ପାଇଁ ପ୍ରେରିତ କଲା ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଯନ୍ତ୍ର ଜରିଆରେ ଧାନକୁ ସୂର୍ଯ୍ୟାଲୋକ ଭଳି କୃତ୍ରିମ ଉପାୟରେ ସନ୍ତୁଳିତ ଉତ୍ତାପ ଓ ଆଲୋକ ଦେଇ ସେଥିରେ ଥିବା ଆର୍ଦ୍ରତା ଦୂର କରାଯାଇ ପାରିବ। ବାକ୍ସ ଆକାରର ଏହି ଯନ୍ତ୍ରଟି ବିଦ୍ୟୁତ୍ରେ ଚାଲିବ। ଏଥିରେ ମୋବାଇଲ୍ର ଯନ୍ତ୍ରାଂଶ, ଥର୍ମୋମିଟର୍, ହିଟିଂ କଏଲ୍, ଏକ୍ଜଷ୍ଟ ଫ୍ୟାନ୍ ଆଦି ବ୍ୟବହାର କରାଯାଇଛି। ବର୍ତ୍ତମାନ କ୍ଷୁଦ୍ର ଆକାରରେ ତିଆରି ଏହି ଯନ୍ତ୍ରରେ ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବଡ଼ ଆକାରରେ କଲେ ୧୨ ହଜାରରୁ ୧୫ ହଜାର ଖର୍ଚ୍ଚ ହୋଇପାରେ ବୋଲି ଶ୍ରୀ ବେରିହା କହିଛନ୍ତି। ପ୍ରତି ଗାଁରେ ଗୋଟିଏ ଏଭଳି ଯନ୍ତ୍ର ରହିଲେ ଅନେକ ଚାଷୀ ଉପକୃତ ହୋଇ ପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।