କାଲି ବେଦିରେ ବସିଥାନ୍ତେ, ଆଜି ଗୁଳିମାଡ଼ର ଶିକାର : ଯୁବକଙ୍କୁ ହତ୍ୟା ଉଦ୍ୟମ

ପାରିବାରିକ ଓ ସମ୍ପତ୍ତି ବିବାଦ ସନ୍ଦେହ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି। ଆଜି ସନ୍ଧ୍ୟାରେ ଘଟିଛି ଦୁଇଟି ଲୋମଟାଙ୍କୁରା ଘଟଣା। ବାଇକ୍‌ ଦୁର୍ଘଟଣାରେ ବୋମା ବ୍ୟାଗ୍‌ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଘଟିବାର ୨ଘଣ୍ଟା ଭିତରେ ମାଣିକପୁର ଗ୍ରାମରେ ଜିତେନ୍ଦ୍ର ବାରିକ ନାମକ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପେଟରେ ଲାଗିଥିଲା। ଗୁରୁତର ଜିତେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ‌ତେବେ ଆସନ୍ତା କାଲି ‌ ‌ଜିତେନ୍ଦ୍ରଙ୍କ ବାହାଘର ଥିଲା। କହ୍ନେଇପୁର ରାହାଣଦେଇ ମନ୍ଦିରରେ ଜିତେନ୍ଦ୍ରଙ୍କ ବିବାହ ଉତ୍ସବ ପାଇଁ ସବୁ ଆୟୋଜନ ସରିଛି। ଆଜି ରାତିରେ ତାଙ୍କୁ ଗୁଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ ଭାଲିଆଝର ଗାଁରେ ଜିତେନ୍ଦ୍ରଙ୍କ ଘର। ଛଚିନା ଗ୍ରାମର ତାଙ୍କ ମାମୁଙ୍କ ଝିଅ ସହିତ ଜିତେନ୍ଦ୍ରଙ୍କ ବିବାହ ସ୍ଥିର ହୋଇଥିଲା। ଆସନ୍ତାକାଲି କହ୍ନେଇପୁର ସ୍ଥିତ ରାହାଣଦେବୀ ମନ୍ଦିରରେ ଜିତେନ୍ଦ୍ର ବେଦିରେ ବସିଥାନ୍ତେ। ପରିବାରରେ ଅଶାନ୍ତି ଲାଗି ରହିଥିବାରୁ ଜିତେନ୍ଦ୍ର ତାଙ୍କ ମାଉସୀଙ୍କ ଘର ମାଣିକପୁରକୁ ଆସିଥିଲେ। ଏଠାରୁ ଅସନ୍ତାକାଲି ରାହଣଦେବୀ ମନ୍ଦିର ଯାଇଥାନ୍ତେ। ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ମାଣିକପୁର ବରିବନ୍ଧ ସାହିସ୍ଥିତ ମାଉସୀ ଘର ବାରଣ୍ଡାରେ ଛିଡ଼ା ହୋଇ ଦ୍ବାରବନ୍ଧ ନିକଟରେ ଘର ଆଡ଼କୁ ମୁହଁ କରି ମୋବାଇଲରେ କଥା ହେଉଥିଲେ। ଏ ସମୟରେ ପଛ ପାର୍ଶ୍ବରୁ କେହି ତାଙ୍କୁ ଗୁଳି କରିଥିଲା। ଗୁଳି ତାଙ୍କ ପିଠି ଦେଇ ପେଟରେ ଗଳି ବାହାରି ଯାଇଥିଲା। ଗୁରୁତର ଭାବେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ସମ୍ପର୍କୀୟମାନେ ଗୁରତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପରିବାରିକ ଅଶାନ୍ତି ଓ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର