ରାଇରଙ୍ଗପୁର/ବାସିଙ୍ଗି: ଦିନକୁ ଦିନ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ସହ ବହୁ ଅମୂଲ୍ୟ ଧନ ଜୀବନ ନଷ୍ଟ ହେଉଛି। ଗତକାଲି ରାତିରେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗିଠାରେ ଅଜଣା ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବ ଶିକ୍ଷକ ହେଲେ ସନତ ମୁର୍ମୁ (୨୬)। ସେ ରଥ ମେଳା ଦେଖି ରାଇରଙ୍ଗପୁରରୁ ନିଜ ଘରକୁ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।
ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ତିରିଂ ବ୍ଲକ ପଣ୍ଡୁପାଣି ଏସଏସଡି ହାଇସ୍କୁଲର ଗଣିତ ଶିକ୍ଷକ ସନତ ମୁର୍ମୁଙ୍କୁ ବାସିଙ୍ଗି ବଜାର ପେଟ୍ରୋଲ ପମ୍ପ ଛକ ପାଖରେ ଏକ ଅଜଣା ଟ୍ରକ୍ ଧକ୍କା ଦେଇଥିଲା। ଜାମଦା ଥାନା ଅନ୍ତର୍ଗତ ପିଟିଦିରି ଗ୍ରାମର ସ୍ଵର୍ଗତ ଲକ୍ଷ୍ମଣ ମୁର୍ମୁଙ୍କ ପୁଅ ସନତ ଦୁର୍ଘଟଣାର ଶିକାର ହେଲା ପରେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଖବର ପାଇ ବହଳଦା ପୁଲିସ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚି ଶବକୁ ଜବତ କରିବା ସହ କେସ ନଂ ୭୪/୨୪ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ପଣ୍ଡୁପାଣିର ତାଙ୍କ ସହକର୍ମୀ, ଗ୍ରାମବାସୀ, ଶୁଭେଛୁ, ଜ୍ଞାତି ପରିଜନ, ପଣ୍ଡୁପାଣି ହାଇସ୍କୁଲର ପ୍ରଧାନଶିକ୍ଷକ ଏବଂ ଅନ୍ୟ ଶିକ୍ଷକମାନେ ହସ୍ପିଟାଲରେ ପହଞ୍ଚି ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ। ସନତ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ। ତାଙ୍କୁ ହରାଇ ଶୁଭେଛୁ, ନିଜ ପୈତୃକ ଗ୍ରାମ ଏବଂ ପଣ୍ଡୁପାଣି ସ୍କୁଲରେ ଛାତ୍ରଛାତ୍ରୀ ମହଲରେ ଶୋକରେ ଛାୟା ଖେଳିଯାଇଛି। ସେ ଗତବର୍ଷ ଜାନୁଆରି ୨ ତାରିଖରେ ପଣ୍ଡୁପାଣି ସ୍କୁଲରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ।
ସୂଚନଯୋଗ୍ୟଯେ ଯେ ୨୨୦ ନଂ ଜାତୀୟ ରାଜପଥରେ ଏକ ସପ୍ତାହ ମଧ୍ୟରେ ଜଣେ ବୃଦ୍ଧା, ଜଣେ କଲେଜ ଛାତ୍ରୀ ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ନେଇ ବାମନଘାଟୀ ଅଂଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।