ଭବାନୀପାଟଣା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ପ୍ରାଥମିକ ସ୍କୁଲ୍‌ ନିକଟରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା। ଏହି ମାମଲାରେ ପୁଲିସ ଜଣେ ଯବାନଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ରହସ୍ୟ ଏବେ ଉନ୍ମୋଚିତ ହୋଇଛି। ବଲାଙ୍ଗୀର ପୁଲିସ ଗତ ଜାନୁଆରି ୧୫ ତାରିଖରେ ଯବାନଙ୍କୁ ଭବାନୀପାଟଣା ଆଣି ହତ୍ୟାକାଣ୍ଡ ପୂର୍ବ ଘଟଣାର ତଥ୍ୟ ସଂଗ୍ରହ କରିଛି।

Advertisment

ବ୍ରହ୍ମପୁରର ସନ୍ତୋଷ ସାହୁ ଦିଲ୍ଲୀ ଆର୍ମି କ୍ୟାମ୍ପ କାଶ୍ମୀର ହାଉସରେ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଭବାନୀପାଟଣା ସହରର ଶକ୍ତିନଗର ପଡ଼ାର ପୂର୍ବତନ ସାମରିକ କର୍ମଚାରୀ ଦୁର୍ଗାପ୍ରସାଦ ସାହୁଙ୍କ ଝିଅ ସୋନୁଲତା ସାହୁ (୨୪)ଙ୍କ ସହିତ ଫେସବୁକ୍‌ରେ ପ୍ରେମ ହୋଇଥିଲା। ଦୁହିଁଙ୍କ ବିବାହ ପାଇଁ ମଧ୍ୟ ପ୍ରସ୍ତାବ ପଡ଼ିଥିଲା। ପରେ ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ପ୍ରତିଶୋଧ ନେବା ପାଇଁ ସନ୍ତୋଷ ସାହୁ ଏକ ଷଡ଼ଯନ୍ତ୍ର ରଚିଥିଲେ। ଗତ ଡିସେମ୍ବର ୪ ତାରିଖ ଦିନ ସକାଳ ୬ଟା ୧୫ ମିନିଟରେ ସନ୍ତୋଷ ଭବାନୀପାଟଣା ସହରରେ ପହଞ୍ଚି ହୋଟେଲ ଶ୍ରୀ ରେସିଡେନ୍ସିରେ ରହିଥିଲା। ଏହି ସମୟରେ ସନ୍ତୋଷ ଫୋନ୍‌ ଯୋଗେ ସୋନୁଲତା ସହିତ ଯୋଗାଯୋଗରେ ଥିଲା।

publive-image

କଥାବାର୍ତ୍ତା ମୁତାବକ ସୋନୁଲତା ଡିସେମ୍ବର ୫ ତାରିଖ ଦିନ ସକାଳ ୧୦ଟାରେ ସ୍କୁଟିରେ ଘରୁ ବାହାରି ସରକାରୀ କୃଷି ମହାବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସନ୍ତୋଷ ଏକ ଅଟୋରେ ଯାଇ ସେଠାରେ ପହଞ୍ଚିବା ପରେ ଦୁହେଁ ସ୍କୁଟିରେ ମିଶି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅର୍ନ୍ତଗତ ଶୁଣ୍ଢିମୁଣ୍ଡା ପ୍ରାଥମିକ ସ୍କୁଲ ନିକଟରେ ପହଞ୍ଚିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସନ୍ତୋଷ ସୋନୁଲତାଙ୍କୁ ହତ୍ୟା କରିଥିଲା। ମୃତଦେହକୁ ଫିଙ୍ଗିଦେଇ ସନ୍ତୋଷ ସ୍କୁଟିକୁ ନେଇ କେସିଙ୍ଗା ରେଳଷ୍ଟେସନକୁ ଆସି ସୋନୁଲତା ବ୍ୟବହାର କରିଥିବା ମୋବାଇଲକୁ ଫିଙ୍ଗିଥିଲା। ସ୍କୁଟିକୁ ରେଳ‌ଷ୍ଟେସନ ନିକଟରେ ରଖି ଦେଇଥିଲା। ପରେ କେସିଙ୍ଗା ରେଳ ଷ୍ଟେସନରୁ ବ୍ରହ୍ମପୁର ଚାଲି ଯାଇଥିଲା।

ଝିଅ ଘରକୁ ନଫେରିବାରୁ ଝିଅର ବାପା ଦୁର୍ଗାପ୍ରସାଦ ସାହୁ ଭବାନୀପାଟଣା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ କେସ ନଂ-୫୪/୬.୧୨.୨୦୨୧ ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ସିନ୍ଧେକେଲା ଥାନା ପୁଲିସ ଗତ ଡିସେମ୍ବର ୯ ତାରିଖରେ ଅଜଣା ଯୁବତୀଙ୍କ ଶବ ଶୁଣ୍ଢିମୁଣ୍ଡା ପ୍ରାଥମିକ ସ୍କୁଲ ନିକଟରେ ଠାବ କରିଥିଲା। ଏହି ଘଟଣାରେ ଯବାନ ଗିରଫ ହେବା ପରେ ବଲାଙ୍ଗୀର ପୁଲିସ ଭବାନୀପାଟଣା ଆଣି ହତ୍ୟାକାଣ୍ଡ ପୂର୍ବର କ୍ରାଇମ୍‌ ସିନ୍‌ ଉପରେ ଖୋଲତାଡ଼ ଆରମ୍ଭ କରିଛି। ମମିତା ମେହେର ହତ୍ୟା ପ୍ରସଙ୍ଗ ପରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଓ କଳାହାଣ୍ଡିର ଲିଙ୍କ୍‌ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।