‌ପ୍ରେମିକକୁ ଭିଡିଓ କଲ୍‌ କରି ପଙ୍ଖାରେ ଝୁଲି ପଡ଼ିଲେ ଯୁବତୀ

ଭୁବନେଶ୍ବର : ‘‘ତୁମେ ମୋତେ ପ୍ରେମ କଲ। ଆମ ସମ୍ପର୍କ ନିବିଡ଼ ହେଲା। ଆମ ପରିବାର ମଧ୍ୟ ରାଜି ହୋ‌ଇଗଲେ ତୁମ ସହିତ ବିବାହ କରିବାକୁ। ମାସକ ମଧ୍ୟରେ ତୁମ ସହିତ ବିବାହ ମଧ୍ୟ ସ୍ଥିର ହୋଇଗଲା। କିନ୍ତୁ ତୁମେ ଏ କ’ଣ କଲ…?’’ ଏମିତି କେ‌ତେ କଥା କହି ପ୍ରେମିକ ସହ ପାଟିତୁଣ୍ଡ କଲେ। ଆଉ ତା’ ପରେ ହ୍ବାଟସ୍-ଆପ୍‌‌ରେ ଭିଡିଓ କଲ୍‌ କରି ପ୍ରେମିକଙ୍କ ଆଖି ଆଗରେ ପଙ୍ଖାରେ ଝୁଲି ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର ଅଞ୍ଚଳରେ। ଲକ୍ଷ୍ମୀସାଗର ଥାନା ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇବା‌ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଯୁବତୀ ଜଣଙ୍କ ଜଣେ ମଡେଲ୍‌ ବୋଲି ଜଣାଯାଇଛି। ପୁଲିସ୍‌ ତାଙ୍କ ମୋବାଇଲ ଫୋନ୍ ଜବତ କରି ତଦନ୍ତ ଆରମ୍ଭ କରିଛି।

ବିଜ୍ଞାପନ ସଂସ୍ଥାରେ ମଡେଲର୍‌ ଭାବେ କାମ କରୁଥିଲେ
ପୁଲିସ୍‌ର ଛାନ୍‌ଭିନ୍‌, ଫୋରେନସିକ୍‌ ଲାବରୋଟାରି ଯିବ ମୋବାଇଲ୍‌

ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ, ସ୍ନେହଲତା ସ୍ବାଇଁ (୨୬)। ଘର ନୟାଗଡ଼ରେ। ଏଠାରେ ସାମନ୍ତରାପୁର ଅଞ୍ଚଳରେ ଥିବା ଏକ ବିଜ୍ଞାପନ ସଂସ୍ଥାରେ ସେ କାମ କରୁଥିଲେ। ଏହି ସମୟରେ ଦୀପକ ନାମକ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ଦୁଇ ପରିବାର ମଧ୍ୟ ସେମାନଙ୍କ ନିଷ୍ପତ୍ତିରେ ରାଜି ହୋଇଯାଇଥିଲେ। ଆସନ୍ତା ମାସରେ ଦୁହିଁଙ୍କ ବିବାହ ହୋଇଥା’ନ୍ତା। ଏଥିପାଇଁ କାର୍ଡ ମଧ୍ୟ ଛପା ସରିଥିଲା। କିନ୍ତୁ ମଙ୍ଗଳବାର ରାତିରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଦୀପକଙ୍କୁ ଭିଡିଓ କଲ୍‌ କରି ସ୍ନେହଲତା ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ଜୀବନ ଯିବା ପରେ ମୋବାଇଲଟି ତାଙ୍କ ହାତରୁ ଖସି ଭାଙ୍ଗି ଯାଇଛି।

ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଓମ୍ ପ୍ରକାଶ ମହାନ୍ତି କହିଛନ୍ତି, ଘଟଣା ରାତିରେ ଯୁବତୀଙ୍କର ଦୀପକଙ୍କ ସହିତ ବହୁତ ଝଗଡ଼ା ହୋଇଥିଲା। ରାଗି କରି ଯୁବତୀଜଣକ ମୋବାଇଲ ଫୋନ୍ ଫିଙ୍ଗି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ସେ ଦିନତମାମ ଘର କବାଟ ଖୋଲି ନ ଥିଲେ। ସେହିପରି ଯେଉଁ ଅଫି୍‌ସରେ କାମ କରନ୍ତି, ସେଠାକୁ ମଧ୍ୟ ଯାଇ ନ ଥିଲେ। ଆଜି ସକାଳୁ ପଡ଼ୋଶୀମାନଙ୍କ ସନ୍ଦେହ ହେବାରୁ ସେମ‌ାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ତାଲା ଭାଙ୍ଗି ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା। ତେବେ ସେ ଆତ୍ମହତ୍ୟା କରିବା ବେଳେ ଭିଡିଓ କଲ୍‌ରେ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ମୋବାଇଲ୍‌ ଜବତ କରି ଯାଞ୍ଚ ପାଇଁ ଫୋରେନସିକ୍‌ ଲାବରୋଟାରିକୁ ପଠାଇବାକୁ ଯୋଜନା କରୁଛି। ପୁଲିସ ଦୀପକଙ୍କୁ ମଧ୍ୟ ଏନେଇ ପଚରାଉଚରା କରୁଛି। ଅପରପକ୍ଷେ ସ୍ନେହଲତାଙ୍କ ମୃତ୍ୟୁକୁ ନେଇ ପରିବାରଲୋକ କାହାରିକୁ ଦାୟୀ କରିନାହାନ୍ତି ବୋଲି ଇନ୍ସପେକ୍ଟର୍‌ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର