ସମ୍ବଲପୁର : ରବିବାର ସଂଧ୍ୟାରେ ଲକ୍ଷ୍ମୀ ଡୁଙ୍ଗୁରି ନିକଟସ୍ଥ ମହାନଦୀ ପୋଲରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ସଂଧ୍ୟା ପ୍ରାୟ ୬ଟାରେ ଉକ୍ତ ଯୁବତୀ ଜଣକ ପୋଲ ଉପରୁ ଡେଇଁ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଅନ୍ଧାରରେ ସେ କେଉଁଠୁ ଆସିଲେ, କେମିତି ଆସିଲେ ତାହା ଜଣା ପଡ଼ି ନଥିଲା। ତେବେ ମହାନଦୀରେ ସେ ଡେଇଁଥିବା ସ୍ଥାନରେ ପାଣି ନଥିଲା। କିନ୍ତୁ ନଦୀ ଶଯ୍ୟାରେ ଥିବା ପଥରରେ ମାଡ଼ ହୋଇ ଗୁରୁତର ହୋଇଥିଲେ। ମୁଣ୍ଡ, ମୁହଁ ଫାଟି ଯାଇଥିଲା। ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରୁ ଉଦ୍ଧାର କରିବା ବେଳକୁ ତାଙ୍କର ଜୀବନ ଥିଲା। ତାଙ୍କୁ ତୁରନ୍ତ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ କାଜୁଆଲ୍‌ଟିରେ ଭର୍ତ୍ତି କରିବାର ଦୁଇ ମିନିଟ୍ ମଧ୍ୟରେ ୬ଟା ୫୫ ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶଥାଉ କି, ଏହି ପୋଲ ତଳୁ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ (ସେଲ୍‌ଫି ବେବୋ)ଙ୍କ ଶବ ଉଦ୍ଧାର କରାଯାଇଥିଲା।