ପାୱାର ଚ୍ୟାନେଲକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ୩ ଦିନ ପରେ ମୃତଦେହ ଉଦ୍ଧାର

ବୁର୍ଲା : ଗତ ରବିବାର ଦିନ ରାତି ପ୍ରାୟ ୯ ଟା ସମୟରେ ବୁର୍ଲା ଥାନାରୁ ମାତ୍ର କିଛି ମିଟର ଦୁରରେ ଥିବା ପାୱାର ଚ୍ୟାନେଲରେ ଡେଇଁ ଆତ୍ମହତ୍ୟା କରିଥିବା ବୁର୍ଲା ଗାନ୍ଧୀପଡ଼ାର ରିଙ୍କି ସୁନା (୨୧)ଙ୍କ ମୃତଦେହ ଦୀର୍ଘ ତିନି ଦିନ ପରେ ଆଜି ବୁର୍ଲା ଅଗ୍ନିଶମ ବାହିନୀ ଚିପିଲିମା ନିକଟରୁ ଉଦ୍ଧାର କରିଛି।

ପୁଲିସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଚିପିଲିମା ପାୱାର୍ ଚ୍ୟାନେଲରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଶବଟି ରିଙ୍କି ସୁନାଙ୍କର ହୋଇଥିବା ଚିହ୍ନଟ କରିଥିଲେ। ଏହି ବାବଦରେ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ପରେ ପାରିବାରିକ କଳହ ଆତ୍ମହତ୍ୟା କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି। କିଛିଦିନ ପୂର୍ବରୁ ରିଙ୍କି ଓ ତାଙ୍କ ସ୍ଵାମୀ ରିତେଶଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। କଳହ ଏତେ ବଢି ଯାଇଥିଲା ଯେ ରିଙ୍କି ଶ୍ଵଶୁର ଘର ଛାଡ଼ି ନିଜ ବାପା ମା ସହିତ ରହୁଥିଲେ। ରବିବାର ଦିନ ରିଙ୍କି ତାଙ୍କ ଭିଣୋଇ ଦୈତାରି ନାୟକଙ୍କ ସହିତ ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ। ଘରକୁ ଫେରିବା ସମୟରେ ସେ ହଠାତ୍ ପାୱାର୍ ଚ୍ୟାନେଲକୁ ଡେଇଁ ପଡ଼ିଥିଲେ।  ତେବେ ତଦନ୍ତ ଜାରି ରହିଛି, ଆତ୍ମହତ୍ୟାର ପ୍ରକୃତ କାରଣ ଖୁବଶୀଘ୍ର ଜଣାପଡ଼ିବ ବୋଲି ଚିପିଲିମା ଫାଣ୍ଡି ତଦନ୍ତକାରୀ ଅଧିକାରୀ ତପନ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର