ସିଂହଦ୍ୱାରରେ ମିନିସ୍କଟ ପିନ୍ଧା ଯୁବତୀଙ୍କ ନୃତ୍ୟ: କେବେ ଲାଗିବ ପୋଷାକ ପରିଧାନ କଟକଣା?

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାରରେ ଜଣେ ଯୁବତୀ ମିନିସ୍କଟ୍‌, ହାତକଟା ସାର୍ଟ ପିନ୍ଧି ନୃତ୍ୟ କରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଏ ଦିଗରେ କଟକଣା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତ, ସେବାୟତ ଦାବି କରିଛନ୍ତି।

ଭିଡିଓରେ ଜଣେ ଯୁବତୀ ଦୋଳମଣ୍ଡପସାହି ମୁଣ୍ଡରେ ପତିତପାବନଙ୍କୁ ଦର୍ଶନ ସ୍ଥାନରେ ମିନିସ୍କଟ୍‌ ପିନ୍ଧି ଏକ ହିନ୍ଦୀ ଗୀତର ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ସେହିଭଳି ଏକ ଦମ୍ପତ୍ତି ବି ପତିତପାବନଙ୍କୁ ଦର୍ଶନ ସ୍ଥାନରେ କୋଳାକୋଳି ହୋଇଥିବା ଏକ ଭିଡିଓ ବି ଭାଇରାଲ୍‌ ହୋଇଛି। ତେବେ; ଏହା କେବଳ ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରୁନି, ଭକ୍ତଙ୍କ ମନରେ ଏକ ନକରାତ୍ମକ ଭାବନା ଜାତ କରୁଛି ବୋଲି ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, କିଛି ମାସ ତଳେ ପରିଚାଳନା କମିଟି ବୈଠକରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନ କ୍ଷେତ୍ରରେ କଟକଣା ଲଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି, ସେମାନେ ଯେଭଳି ପାରମ୍ପରିକ ପୋଷାକ ପିନ୍ଧି ଆସିବେ, ସେ ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। ଛତିଶାନିଯୋଗ ବି ଏଥିରେ ସହମତି ଜଣାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେବାୟତଙ୍କ କ୍ଷେତ୍ରରେ ଏହା ଲାଗୁ ହେଲା। କିନ୍ତୁ ଅଧାରେ ଏହି ବ୍ୟବସ୍ଥା ଅଟକିଗଲା।

ସୂଚନାଯୋଗ୍ୟ, କିଛିଦିନ ତଳେ ଏମାର ମଠ ଚକଡ଼ାରେ ଏକ ଗଛମୂଳେ ପ୍ରେମୀଯୁଗଳଙ୍କ ଅଶ୍ଳୀଳତା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର