ତେଲକୋଇ/ଜଗମୋହନପୁର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ବର୍ଷତମାମ ହାତୀପଲଙ୍କ ଉପଦ୍ରବ ଲାଗି ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ହାତୀ ଆକ୍ରମଣରେ ଆଜି ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗ୍ରାମର ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ପେଣ୍ଠେଇ (୩୨)।

Advertisment

ଶୁକ୍ରବାର ସକାଳେ ବିଦେଶୀଙ୍କ ୨ ଦିବ୍ୟାଙ୍ଗ ଝିଅ ଶଶିକା, ବିଶାଖା ଓ ପୁଅ ବିଦ୍ୟାଧର ଅନ୍ୟମାନଙ୍କ ସହ ଗାଁପାଖ ମଗରଧରା ଜଙ୍ଗଲକୁ ଛତୁ ସଂଗ୍ରହ କରିବାପାଇଁ ଯାଇଥିଲେ। ଛତୁ ସଂଗ୍ରହ କରିବା ବେଳେ ଏକ ଦନ୍ତାହାତୀ ହାବୁଡ଼ରେ ପ୍ରଥମେ ବିଦ୍ୟାଧର ପଡ଼ିଥିଲେ। ସେ ଜୀବନ ବିକଳରେ ପାଟି କରିବା ସହ ଦୌଡ଼ି ପଳାଇଥିଲେ। ଅନ୍ୟମାନେ ମଧ୍ୟ ତାଙ୍କ ପାଟି ଶୁଣି ଛତ୍ରଭଙ୍ଗ ଦେଇଥିଲେ। ଶଶିକା ଓ ବିଶାଖା ମୂକ ଓ ବଧିର ହୋଇଥିବାରୁ ସେମାନେ କିଛି ଜାଣିପାରି ନଥିଲେ। ଉଭୟ ଛତୁ ସଂଗ୍ରହରେ ବ୍ୟସ୍ତ ଥିଲେ। ଦନ୍ତାହାତୀକୁ ଦେଖି ବିଶାଖା ଦୌଡ଼ି ପଳାଇଥିବା ବେଳେ ଶଶିକାଙ୍କୁ ହାତୀଟି ଶୁଣ୍ଢରେ ଟେକି କଚାଡ଼ିବା ପରେ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନା ପଠାଇଥିଲେ। ମୃତକଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ପରେ ଆଉ ୫ ଲକ୍ଷ ୪୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ରେଞ୍ଜର ଶିବାଜୀମୋହନ ରାଓ କହିଛନ୍ତି।

ତେଲକୋଇ ଅଞ୍ଚଳରେ ଗତ ଅଢ଼େଇବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ଘଟିଛି। ହାତୀପଲ ୮୦୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ଦୁଇହଜାର ଲୋକଙ୍କ ଫସଲ ନଷ୍ଟ କରିଛନ୍ତି। ୨୦୨୧ ଫେବ୍ରୁଆରି ୧୭ରେ ଜଗମୋହନପୁରର ଜାନକୀ ପ୍ରଧାନ (୪୫), ମେ ୧୭ରେ ଶିରିଆବାହାଳ ଗ୍ରାମର ଗୌରଚନ୍ଦ୍ର ନାୟକ (୫୨)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୧୧ରେ ଦୋବଲାପାଳ ପଞ୍ଚାୟତ ବାଂଶପାଳ ଗ୍ରାମର ମକୁରୁ ନାଏକ (୬୦), ନଭେମ୍ବର ୧୨ରେ ରାଇସୁଆଁ ପଞ୍ଚାୟତ ରାଣୀବେଡ଼ା ଗ୍ରାମର ନାରାୟଣ ମହାନ୍ତ (୭), ୨୦୨୨ ମେ ୭ରେ ଖୁଣ୍ଟାପଡ଼ା ପଞ୍ଚାୟତ କୁଲାଡେରା ଗ୍ରାମର ଜହ୍ନି ଦେହୁରୀ (୭୦), ୧୮ରେ ସେହି ଗ୍ରାମର ନିଧିଆ ନାଏକ(୬୫), ୨୦୨୩ ମେ ୨୫ରେ ଆକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମର ଦ୍ବୀତିକୃଷ୍ଣ ନାୟକଙ୍କ ସ୍ତ୍ରୀ ତଥା ଗ୍ରାମର ୱାର୍ଡମେମ୍ବର ଦ୍ରୌପଦୀ ନାୟକ (୪୮)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସରକାରୀ ଭାବେ ହାତୀଦ୍ବାରା କ୍ଷତିଗ୍ରସ୍ତଙ୍କ ସଂଖ୍ୟା ୧୫ ଶହ ମଧ୍ୟରେ ରହିଥିବା ବେଳେ ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ। ସରକାରୀ ସହାୟତା ପାଇବାରେ ବିଳମ୍ବ ଓ ସ୍ବଳ୍ପ ସହାୟତା ପାଇଁ ଅନେକ କ୍ଷତିଗ୍ରସ୍ତ ବନ ବିଭାଗ ନିକଟରେ ଆବେଦନ କରୁନାହାନ୍ତି। ବର୍ତ୍ତମାନ ତେଲକୋଇ ରେଞ୍ଜରେ ୩୬ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଗୋଟିଏ ଦଳରେ ୨୪ଟି ଓ ଅନ୍ୟ ଦଳରେ ୧୨ଟି ହାତୀ ଅଛନ୍ତି। ତେବେ ଏକ ଗୋଠଛଡ଼ା ଦନ୍ତାର ଉତ୍ପାତ ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି।