ପ୍ରେମିକ ପଥର ମାଡ଼ରେ ଯୁବତୀ ମୃତ

ଖୁଣ୍ଟା : ସାମାନ୍ୟ ଝଗଡ଼ାକୁ କେନ୍ଦ୍ରକରି ପ୍ରେମିକର ପଥର ମାଡ଼ରେ ପ୍ରେମିକାର ପ୍ରାଣ ଯାଇଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଇଡ଼ିହି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

ଖୁଣ୍ଟା ଥାନା ସପନଚୁଆ ଗ୍ରାମର ବୁଧୁନି ହେମ୍ବ୍ରମ୍‌ (୩୫) ଓ ବଡ଼ଯମୁନା ଗ୍ରାମର ମୁନୁ ଟୁଡୁ (୩୮)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗୁରୁବାର ସକାଳେ ଦୁହେଁ ଏକ ବାଇକ୍‌ରେ ବୁଧୁନିଙ୍କ ଅଜା ଘର ରାଇଡ଼ିହି ଗାଁକୁ ଆସିଥିଲେ। ମଧ୍ୟାହ୍ନରେ ବୁଧୁନି ଗାଁ ନିକଟ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କ ପଛେ ପଛେ ଯାଇଥିଲେ ମୁନୁ। ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ଦୁହେଁ ହଠାତ୍‌ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ। ଏହାରି ଭିତରେ ମୁନୁ ଛାଟିଥିବା ଏକ ପଥର ବୁଧୁନିଙ୍କ ମୁଣ୍ଡରେ ବାଜିବାରୁ ସେ ସେଇଠି ଟଳି ପଡ଼ିଥିଲେ। ଏହାପରେ ଆଉ ଏକ ପଥରରେ ପ୍ରେମିକାର ମୁଣ୍ଡକୁ ଛେଚି ଦେଇଥିଲା ଅଭିଯୁକ୍ତ। ପଥର ଫିଙ୍ଗାଫିଙ୍ଗି ଭିତରେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଖବର ପାଇ କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ, ଖୁଣ୍ଟା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କ ସହିତ ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥି‌ଲେ। ଗୁରୁତର ମୁନୁଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏ ନେଇ ଥାନା କେସ୍‌ ନମ୍ବର ୫୯/୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର