ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ଗାଁରେ ଜଣେ ଯୁବତୀ (୨୨) ନିଖୋଜ ହେବାର ତିନି ଦିନ ପରେ ରବିବାର ସକାଳେ ଜଙ୍ଗଲରୁ ତାଙ୍କର ଗଳିତ ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥକୁ ୮ଘଣ୍ଟା ଅବରୋଧ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ହରି ବେହେରାକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। 

Advertisment

୩ ଦିନ ପରେ ଜଙ୍ଗଲରୁ ମିଳିଲା ଗଳିତ ଶବ 
ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥ ଅବରୋଧ
ଅଭିଯୁକ୍ତକୁ ଗିରଫ କଲା ନାକଟିଦେଉଳ ପୁଲିସ

ସୂଚନା ଅନୁସାରେ, ଉକ୍ତ ଯୁବତୀ ଗତ ୩୦ ତାରିଖ ପୂର୍ବାହ୍ଣ ପ୍ରାୟ ୧୦ଟାରେ ଘର ନିକଟସ୍ଥ ସୁଆଗିଝରଣ ନାଳକୁ ଏକା ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ସେଠାକୁ ଯାଇଥିଲେ। ନାଳକୂଳରେ ତାଙ୍କ ଚପଲ, ପୋଷାକ ଓ ମୋବାଇଲ ଫୋନ୍‌ ପଡ଼ିଥିବା ଦେଖି ଆଖପାଖ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଫଳରେ ସେହିଦିନ ଅପରାହ୍ଣରେ ଝିଅ ନିଖୋଜ ଥିବା ନେଇ ପୀଡ଼ିତାଙ୍କ ବାପା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଘର ପାଖ ହରି ବେହେରା ନାମକ ଯୁବକ ଝିଅକୁ ହତ୍ୟା କରିଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଉକ୍ତ ଯୁବକଙ୍କୁ ପଚରାଉଚରା କରି ଫେରିଆସିଥିଲା।

ଏପଟେ ଝିଅକୁ ତିନି ଦିନ ହେଲା ଖୋଜାଖୋଜି କରି ପରିବାର ଲୋକେ ନୟାନ୍ତ ହୋଇ ଯାଇଥିଲେ। ତେବେ ଆଜି ସକାଳେ ନିକଟସ୍ଥ ଝାରବେଡ଼ା ପାଣ୍ଡରିପଶି ସାହିର କିଛି ମହିଳା ନିକଟସ୍ଥ କଉଁଶଗୁଜ ଜଙ୍ଗଲ ପାଖରେ ଥିବା ଧାନବିଲକୁ ଘାସ ବାଛିବାକୁ ଯାଇଥିବା ବେଳେ ସେଠାରେ ଉତ୍କଟ ଦୁର୍ଗନ୍ଧ ବାରିଥିଲେ। ଘଟଣାସ୍ଥଳକୁ ଯିବା ପରେ ଏକ ଖାଲ ଭିତରେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ନାକଟିଦେଉଳ ଥାନା ଅଧିକାରୀ ଝସକେତନ ଭୋଇ, ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେର, ସ୍ଥାନୀୟ ତହସିଲଦାର ଅମର ଜେ. ଡୁଙ୍ଗଡୁଙ୍ଗ, ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ପୀଡ଼ିତ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଦେବା ପାଇଁ ତହସିଲଦାର ଘୋଷଣା କରିଛନ୍ତି।