ଚନ୍ଦ୍ରଶେଖରପୁର : ଇନ୍ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀନିବାସରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଇନ୍ଫୋସିଟି ଥାନା ପୁଲିସ୍। ଛାତ୍ରୀ ଜଣକ ସୁଶ୍ରୀ ପ୍ରଜ୍ଞାମିତା ସେଠୀ। ତାଙ୍କ ଘର କୋରାପୁଟ ସୁନାବେଡ଼ାରେ ବୋଲି ଜଣାପଡ଼ିଛି। ସେ ଇନ୍ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। କୌଣସି କାରଣକୁ ନେଇ ସେ ବେକରେ ଓନି ବାନ୍ଧି ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପ୍ରେମଜନିତ ଘଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କ ସହ ମୋବାଇଲ୍ ଯୋଗେ ଗତ କିଛି ଦିନ ହେବ ସେ ବଚସା କରୁଥିଲେ। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି।
ଶନିବାର ସକାଳେ ସେ ପଙ୍ଖାରେ ଝୁଲୁଥିବା ଦେଖି ସାଙ୍ଗମାନେ ହଷ୍ଟେଲ ପରିଚାଳକଙ୍କୁ ସୂଚନା ଦେଇଥିଲେ। ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଯାଇଥିଲା। ଏସମ୍ପର୍କରେ ଯୁବତୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଥିଲେ। ଇନ୍ଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/suicide-f.jpg)