ନୟାଗଡ଼: ସୋମବାର ଅପରାହ୍ଣରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନାକୁ ଅଭିଯୋଗ ନେଇ ଆସିଥିବା ଜଣେ ଯୁବତୀ କୀଟନାଶକ ପିଇ ଦେଇଥିବା ଖବର ମିଳିଛି। ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରୁ ଉପୁଜିଥିବା ବିବାଦକୁ ନେଇ ପୁଲିସଠାରୁ ଯୁବତୀଜଣକ ତ୍ବରିତ ନ୍ୟାୟ ଦାବି କରିଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ଏସ୍ଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ କହିଛନ୍ତି।
ପୁଲିସ ସୂଚନା ମୁତାବକ, ଗତ ଫେବ୍ରୁଆରି ମାସରେ ଇଟାମାଟି ଥାନା ଅଧୀନ ଶରଧାପୁର ଅଞ୍ଚଳର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କ ବିରୋଧରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ରାୟପୁରରେ ସିଆର୍ପିଏଫ୍ରେ ଚାକିରି କରୁଥିବା ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜେଲରେ ୧୮ ଦିନ ରହିବା ପରେ ଯୁବକ ଜଣକ ଜାମିନରେ ଆସି ପୁଣି ରାୟପୁରକୁ ଫେରି ଯାଇଥିଲେ। ହେଲେ ଏତେ ଶୀଘ୍ର କାହିଁକି ଯୁବକଙ୍କୁ ଜାମିନ ମିଳିଲା ବୋଲି ଯୁବତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଗତକାଲି ଯୁବତୀ ଓ ତାଙ୍କ ଭାଇ ସଂପୃକ୍ତ ଯୁବକଙ୍କ ଘରେ ପଶି ଗଣ୍ଡଗୋଳ କରିଥିଲେ। ଏହାକୁ ନେଇ ଯୁବକଙ୍କ ପରିବାର ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ କରାଯାଇଥିଲା। ଏହାର କିଛି ସମୟ ପରେ ଯୁବତୀ ଜଣକ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ପାଲଟା ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମାତ୍ର ଆଜି ଯୁବତୀଜଣକ ହଠାତ୍ ନିଜ ମା’ଙ୍କ ସହ ଆସି ଥାନା ପହଞ୍ଚି ତାଙ୍କୁ ସଂପୃକ୍ତ ଯୁବକ ପତ୍ନୀର ମାନ୍ୟତା ଦେବା ପାଇଁ ପୁଲିସ ପଦକ୍ଷେପ ନେଉ ବୋଲି ଦାବି କରିଥିଲେ। ପୁଲିସ ଅକ୍ଷମତା ପ୍ରକାଶ କରିଥିଲା। ପୁଲିସ ଯୁବକଙ୍କୁ ସହଯୋଗ କରୁଛି ବୋଲି ଯୁବତୀ ଜଣକ ଅଭିଯୋଗ କରିବା ସହ ଥାନା ବାହାରକୁ ଆସି ସାଙ୍ଗରେ ଆଣିଥିବା କୀଟନାଶକ ପିଇ ଦେଇଥିଲେ।