ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ଥାନା ଏସ୍ଆର୍ଆଇଟି କଲୋନିର ରିତିକା ରାଠୋଡ୍(୨୧) ସାଇବର୍ ଠକେଇର ଶିକାର ହୋଇଛନ୍ତି। ଓଏଲ୍ଏକ୍ସରେ ଡ୍ରେସ୍ବିକ୍ରି କରିବାକୁ ବିଜ୍ଞାପନ ଦେଇ ସେ ସାଇବର୍ ଠକେଇର ଶିକାର ହୋଇଛନ୍ତି। ଠକ ଜଣକ ତାଙ୍କ ଠାରୁ ୩୬ ହଜାର ଟଙ୍କା କାଟିନେଇଛି।
ମଙ୍ଗଳବାର ଦିନ ରିତିକା ଏକ ଡ୍ରେସ୍ ବିକ୍ରି କରିବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖି ଜଣେ ବ୍ୟକ୍ତି ତାଙ୍କୁ କଲ୍ କରି ଡ୍ରେସ୍ଟି କିଣିବା ପାଇଁ କହିଥିଲେ। ଡ୍ରେସ୍ଟିକୁ ୨୭୦୦ ଟଙ୍କା ଦେଇ କିଣିବାକୁ ସେ ରାଜି ହୋଇଥିଲେ। ବୁଧବାର ସକାଳ ୧୦ଟାରେ ଅନ୍ୟ ଏକ ନମ୍ବରରୁ ସାଇବର୍ ଠକ ଜଣକ ତାଙ୍କୁ କଲ୍ କରି ଡ୍ରେସ୍ କିଣିବାକୁ କହିଥିଲା। ଏହାପରେ କନଫର୍ମ ପାଇଁ ଠକ ଜଣକ ତାଙ୍କୁ ଏକ କ୍ୟୁଆର୍ କୋଡ୍ ପଠାଇ ସ୍କାନ୍ କରି ୧ ଟଙ୍କା ପଠାଇବାକୁ କହିଥିଲା। ତା କଥାରେ ବିଶ୍ବାସ କରି ସେ ସ୍କାନ୍ କରି ପେମେଣ୍ଟ କରିଥିଲେ। ପେମେଣ୍ଟ ଫେଲ୍ଡ ହୋଇଯାଉଥିବା କହି ବାରମ୍ବାର ସ୍କାନ୍ କରିବାକୁ କୋଡ୍ ପଠାଇଥିଲା। ଏସବୁ ଭିତରେ ଯୁବତୀଙ୍କ ଆକାଉଣ୍ଟରୁ ୪,୭୦୦ ଟଙ୍କା କଟିଯାଇଥିଲା। ଉକ୍ତ ଆକାଉଣ୍ଟକୁ ଟଙ୍କା ଯାଉନାହିଁ ବୋଲି କହି ଆଉ ଏକ ଆକାଉଣ୍ଟରୁ ସ୍କାନ୍ କରି ୧ ଟଙ୍କା ପଠାଇବାକୁ ଠକ ଜଣକ କହିଥିଲା। ତା’ପରେ ଯୁବତୀ ଜଣକ ତାଙ୍କ ମା’ଙ୍କ ଆକାଉଣ୍ଟରୁ କୋଡ୍ ସ୍କାନ୍ କରିଥିଲେ। ଏକାଧିକ ଟ୍ରାନ୍ଜେକ୍ସନ୍ରେ ତାଙ୍କ ମା’ଙ୍କ ଆକାଉଣ୍ଟରୁ ୩୧,୪୦୦ ଟଙ୍କା କାଟି ନେଇଥିଲା ସାଇବର୍ ଠକ। ଯୁବତୀ ଓ ତାଙ୍କ ମା’ଙ୍କ ଆକାଉଣ୍ଟରୁ ସାଇବର୍ ଠକ ମୋଟ୍ ୩୬,୧୦୦ ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ରିତିକା ବୁଧବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।