ବାହାଘର ପୂର୍ବରୁ ପ୍ରେମିକ ସହ ଯୁବତୀ ଫେରାର୍

ରେଢ଼ାଖୋଲ: ବାହାଘର ପୂର୍ବରୁ ପ୍ରେମିକ ସହ ଫେରାର୍ ହୋଇଗଲେ ଯୁବତୀ। ବନ୍ଦ ହୋଇଗଲା ବାହାଘର। ପରେ ଯୁବତୀ ଜଣକ ଉଦ୍ଧାର ହେବା ପରେ ପ୍ରେମିକ ସହ ମନ୍ଦିରରେ ତାଙ୍କ ବିବାହ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ରେଢ଼ାଖାଲ ବ୍ଲକ୍‌ ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ବୀରମହାରାଜପୁର ଥାନା ଅଞ୍ଚଳରେ ସ୍ଥିର ହୋଇଥିଲା। ମାର୍ଚ୍ଚ ୧୧ ତାରିଖରେ ଏହି ବିବାହ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା। କିନ୍ତୁ ବିବାହ ପୂର୍ବରୁ ୭ ତାରିଖ ଦିନ ଯୁବତୀ ଜଣକ ତାଙ୍କ ପ୍ରେମିକ ସହ ଫେରାର୍‌ ହୋଇଗଲେ। ଫଳରେ ବିବାହ ବନ୍ଦ ହୋଇଗଲା। ବହୁ ଖୋଜାଖୋଜି ପରେ ୧୬ ତାରିଖରେ ଯୁବତୀଙ୍କୁ ପରିବାର ଲୋକ ଠାବ କରିଥିଲେ।

ଉଭୟ ପ୍ରେମିକ ପ୍ରେମିକାଙ୍କୁ ବଡ଼ମାଳ ଫାଣ୍ଡିକୁ ନେଇଥିଲେ। ତେବେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ ବୋଲି ଅଡ଼ି ବସିଥିଲେ। ଉଭୟ ସାବାଳକ ହୋଇଥିବାରୁ ଶୁକ୍ରବାର ପୂର୍ବାହ୍ନରେ ରେଢ଼ାଖୋଲ କୋର୍ଟରେ ଉଭୟଙ୍କ ରେଜିଷ୍ଟ୍ରି ମ୍ୟାରେଜ ହୋଇଥିଲା। ଅପରାହ୍‌ଣରେ ବଡମାଳ ଶିବ ମନ୍ଦିରରେ ଉଭୟ ବରଣ ମାଳା ଦିଆନିଆ ହୋଇ ବାହାଘର ହୋଇଥିଲା। ଏଥିରେ ଉଭୟ ପକ୍ଷର ପରିବାର ଲୋକ ଉପସ୍ଥିତ ଥିଲେ। ବଡ଼ମାଳ ଫାଣ୍ଡି ଅଧିକାରୀ ଗଣେଶ ବାରିକଙ୍କ ତତ୍ବାବଧାନରେ ଏହି ବାହାଘର ହୋଇଥିଲା।

ସମ୍ବନ୍ଧିତ ଖବର