ଚଳନ୍ତା ବାଇକ୍‌ରେ ଲୁଟେରାଙ୍କ ସହ ଯୁବତୀଙ୍କ ରକ୍ତାକ୍ତ ସଂଘର୍ଷ

ମୋବାଇଲ ଛଡ଼ାଇ ଆଣିଲେ, ୨ ଲୁଟେରା କାବୁ, ଆହତ ଯୁବତୀ ଏମ୍ସରେ ଭର୍ତ୍ତି

ଭୁବନେଶ୍ବର : ରାଜଧାନୀରେ କମିସନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ଅଧିକାଂଶ ସମୟରେ ସେମାନଙ୍କ ଟାର୍ଗେଟରେ ରହୁଛନ୍ତି ଯୁବତୀ ଓ ମହିଳା। ତେବେ ଶନିବାର ରାତିରେ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ରୀନା ଡାକୁଆ ନାମକ ଜଣେ ଯୁବତୀଙ୍କଠାରୁ ଦୁଇ ଜଣ ଲୁଟେରା ମୋବାଇଲ ଫୋନ୍ ଲୁଟିବାବେଳେ ରୀନା ଲୁଟେରା ସହ ଲଢ଼ି ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଲୁଟେରା ଦ୍ବୟଙ୍କୁ ମଧ୍ୟ କାବୁ କରିବାରେ ସମର୍ଥ ହୋଇଛନ୍ତି। ଲୁଟେରା ସହ ସଂଘର୍ଷ ବେଳେ ରୀନା ଗୁରୁତର ଆହତ ହୋଇଥିବାବେଳେ ରାସ୍ତା ପାରି ହେଉଥିବା ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଚଳନ୍ତା ବାଇକ୍‌ରେ ଫିଲ୍ମ ଷ୍ଟାଇଲରେ ଲୁଟେରାଙ୍କ ସହ ରୀନାଙ୍କ ରକ୍ତାକ୍ତ ସଂଘର୍ଷ ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ନିଜ ସାହସିକତା ପାଇଁ ରୀନା ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଆହତ ରୀନା ଓ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ଲାଗି ଏମ୍ସରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସରକନ୍ତରା ଅଞ୍ଚଳର ରୀନା ବାଣୀବିହାର ନିକଟରେ ଥିବା ଏକ ମଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସେ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ସେ ମୋବାଇଲ ଫୋନରେ କଥା ହୋଇ ଯାଉଥିବାବେଳେ ପଛପଟୁ ବାଇକ୍‌ରେ ଆସୁଥିବା ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ରୀନା। ଚଳନ୍ତା ବୁଲେଟ୍‌ରେ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ରକ୍ତାକ୍ତ ହୋଇ ଯାଇଥିଲେ। ସେତେବେଳକୁ ରୀନାଙ୍କ ଫୋନ୍ ଲୁଟେରାଙ୍କ ହାତରେ ଥିଲା। ମାତ୍ର ଗାଡ଼ିରୁ ପଡ଼ି ଆହତ ହେବା ସତ୍ତ୍ବେ ରୀନା ସେମାନଙ୍କୁ ଛାଡ଼ି ନ ଥିଲେ। ଲୁଟେରା ଓ ତାଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣା ଦେଖି ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଯାଇଥିଲେ। ବେଶ୍‌ କିଛି ସମୟର ରକ୍ତାକ୍ତ ସଂଘର୍ଷ ପରେ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ ରୀନା। ଏତିକିବେଳେ ଶତାଧିକ ଲୋକ ଘଟଣାସ୍ଥଳରେ ଜମା ହୋଇ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ ଏବଂ ରୀନାଙ୍କ ସାହସିକତାକୁ ପ୍ରଶଂସା କରିବା ସହ ଲୁଟେରା ଦ୍ବୟଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ‌ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଲୁଟେରା ଦ୍ବୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭତ୍ତି କରିଛି। ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏୟାରପୋର୍ଟ ଅଞ୍ଚଳରେ ସମାନ ଧରଣର ଘଟଣା ଘଟିଥିଲା। ଦୁଇ ଜଣ ଲୁଟେରା ଜଣେ ଯୁବତୀଙ୍କ ସୁନାଚେନ୍ ଲୁଟ୍ ଉଦ୍ୟମ କଲାବେଳେ ଯୁବତୀ ଜଣେ ଲୁଟେରାଙ୍କ ସହ ଲଢ଼େଇ କରି କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର