ବ୍ରହ୍ମପୁର: ବାପା ଓ ସାବତ ମାଆଙ୍କ ନିର୍ଯାତନା ଅସହ୍ୟ ହୋଇ ଚାଲିଥିଲା। ଶେଷରେ ଜୀବନ ହାରିଦେଲେ କଲେଜ ଛାତ୍ରୀ ରାଣୀ ପ୍ରଧାନ। ଏହି ଘଟଣା‌ରେ ସଦର ଥାନା ପୁଲିସ କେସ୍ ନମ୍ବର ୩୨୦/୨୪ରେ ଅଭିଯୁକ୍ତ ବାପା ଅଶୋକ କୁମାର ପ୍ରଧାନ ଓ ସାବତ ମା’ ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ଘଟଣାସ୍ଥଳରୁ ପେଟ୍ରୋଲ ଡବା ସହିତ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଛି।

Advertisment

ଆସିକା ଥାନା ନୂଆପଲ୍ଲୀର ମୂଳ ନିବାସୀ ଅଶୋକ କୁକୁଡ଼ାଖଣ୍ଡି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଘରଭଡ଼ା ନେଇ ରହୁଛନ୍ତି। ପ୍ରଥମ ପତ୍ନୀ ଈଶ୍ବରୀ ପ୍ରଧାନଙ୍କ ଗତ ୧୯ବର୍ଷ ତଳେ ମୃତ୍ୟୁ ଘଟିଥିଲା। ଏହି ସମୟରେ ଝିଅ ରାଣୀଙ୍କୁ ଦେଢ଼ବର୍ଷ ବୟସ ହୋଇଥିଲା। ଏହାପରେ ଅଶୋକ ଜ୍ୟୋତ୍ସ୍ନାରାଣୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ଏକ ପୁଅ ଅଛି। ରାଣୀ ଯୁକ୍ତ୩ ଶ୍ରେଣୀରେ ପାଠ ପଢ଼ୁଥିଲେ। କିନ୍ତୁ ବାପା ଓ ସାବତ ମା’ ରାଣୀଙ୍କ ପାଠପଢ଼ାକୁ ବିରୋଧ କରିବା ସହିତ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିଲେ। ଯାହାକୁ ନେଇ ରାଣୀ ମାନସିକ ଚାପରେ ରହୁଥିଲେ ବୋଲି ପୁଲିସର ତଦନ୍ତରେ ସ୍ପଷ୍ଟ ହୋଇଛି। ଗତ ୬ତାରିଖ ରାତିରେ ରାଣୀ ପରୀକ୍ଷା ଫି’ ବାବଦରେ ୫ଶହ ଟଙ୍କା ବାପା ଅଶୋକଙ୍କୁ ମାଗିଥିଲେ। ଅଶୋକ ବିରକ୍ତି ପ୍ରକାଶ କରି ଝିଅ ରାଣୀଙ୍କୁ ଗାଳିଗୁଲଜ କରିଥିଲେ। ଶେଷରେ ଝିଅକୁ ୫ଶହ ଟଙ୍କା ଦେଇ ଘର ଛାଡ଼ି ଚାଲିଯିବାକୁ ବାପା ଅଶୋକ କହିଥିଲେ। ଏହି ଘଟଣାକୁ ନେଇ ରାଣୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ୭ତାରିଖ ଅପରାହ୍ଣରେ ରାଣୀ ନିକଟସ୍ଥ ଦୋକାନରୁ ପେଟ୍ରୋଲ କିଣି ଆଣିଥିଲେ। ଘରେ ନିଜ ଦେହରେ ପଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଜଳନ୍ତା ଅବସ୍ଥାରେ ସେ ଘରୁ ବାହାରକୁ ଦୌଡ଼ି ଯାଇ କୁକୁଡ଼ାଖଣ୍ଡି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ନିଆଁ ଲିଭାଇ ରାଣୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରିଥିଲେ। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। ପୁଲିସ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିଲା। ଗତକାଲି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ରାଣୀଙ୍କ ମୃତ୍ୟୁ ଘଟିଥିଲା। ଝିଅକୁ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ତଦନ୍ତରେ ସ୍ପଷ୍ଟ ହୋଇଛି। ଏଣୁ ପୁଲିସ ଅଭିଯୁକ୍ତ ବାପା-ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି।