ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଫରିଦାବାଦ ଯୁବକକୁ ବାନ୍ଧିଲା ପୁଲିସ

ରାଉରକେଲା: ବନ୍ଧମୁଣ୍ଡା ରେଳବାଇ କଲୋନିର ଜଣେ ଯୁବତୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ସହ ଫୋନ୍‌ରେ ଧମକଚମକ ଦେବା ଯୁବକକୁ ମହଙ୍ଗା ପଡିଛି। ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ବନ୍ଧମୁଣ୍ଡା ପୁଲିସ ହରିୟାଣା ଫରିଦାବାଦର ଯୁବକକୁ ରାଉରକେଲାରେ ବାନ୍ଧିଛି।  ଗିରଫ ପରେ ତାକୁ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସୂର୍ଯ୍ୟକାନ୍ତ ଯାଦବ (୨୨)। ପୁଲିସ କହିବାନୁଯାୟୀ ଗିରଫ ସୂର୍ଯ୍ୟକାନ୍ତ ବନ୍ଧମୁଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା।

ଏହାର ସୁଯୋଗ ନେଇ ସୂର୍ଯ୍ୟକାନ୍ତ ଯୁବତୀଙ୍କ ମୋବାଇଲ ନମ୍ବର ନେଇଯାଇଥିଲେ। ପରେ ମୋବାଇଲରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲେ। ସେହି ଭିଡିଓକୁ ଯୁବତୀଙ୍କ ୱାଟ୍‌ସ ଆପ୍‌ ନମ୍ବରକୁ ପଠାଇ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଅଶ୍ଳୀଳ ଭିଡିଓକୁ ଫେସ୍‌ବୁକ୍‌ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଛାଡିଦେବାକୁ ଯୁବତୀଙ୍କୁ ଧମକ ଚମକ ମଧ୍ୟ ଦେଇ ଟଙ୍କା ମାଗିଥିଲେ। ବଦନାମ୍‌ ହେବା ଭୟରେ ଯୁବତୀ ଜଣକ ଏ ସଂକ୍ରାନ୍ତରେ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ସୂର୍ଯ୍ୟକାନ୍ତକୁ ରାଉରକେଲା ଆସି ଟଙ୍କା ନେବାକୁ କହିଥିଲେ। ଯୁବତୀଙ୍କ କହିବାନୁଯାୟୀ ସୂର୍ଯ୍ୟକାନ୍ତ ଟଙ୍କା ନେବାକୁ ରାଉରକେଲା ଆସିଥିଲା। ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ବନ୍ଧମୁଣ୍ଡା ଅଞ୍ଚଳରୁ ସୂର୍ଯ୍ୟକାନ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର