ସୋର/ବାସୁଦେବପୁର: ବାଲେଶ୍ବର ଜିଲ୍ଲା ସୋରରେ ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣାରେ ଆଜି ଅଭିଯୁକ୍ତ ପ୍ରେମିକ ଗିରଫ ହୋଇଛି। ତେବେ ପୁଲିସକୁ ଦେଖି ଅଭିଯୁକ୍ତ ବିଷ ପିଇ ଦେଇଥିଲା। ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ; ଗତ ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ମନୋରଞ୍ଜନ ରଣାଙ୍କ ଘରେ ୨୫ ବର୍ଷ ବୟସ୍କା ସାନଝିଅ ଜ୍ୟୋତିର୍ମୟୀ ରଣା ଏକୁଟିଆ ଥିଲେ। ଏତିକିବେଳେ ପ୍ରେମିକ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ଚୂଡ଼ାମଣି ଧଳସାହିର ବିଶ୍ୱରଂଜନ ପୁହାଣ ତାଙ୍କ ଘରେ ପଶି ଜ୍ୟୋତିର୍ମୟୀଙ୍କ ଗଳାକାଟି ହତ୍ୟା କରିଥିଲା। ହତ୍ୟାକାଣ୍ଡ ଭିଆଇବା ପରେ ବିଶ୍ବରଂଜନ ସେଠାରୁ ଫେରାର୍ ହୋଇ ଯାଇଥିଲା। ସୋର ପୁଲିସ କେସ୍ ନମ୍ବର ୧୬୨/୨୫ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ବାଲେଶ୍ୱର ଏସ୍ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶରେ ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ପୁଲିସ ୪ଟି ଟିମ୍ ଗଠନ କରି ଅଭିଯୁକ୍ତ ବିଶ୍ବରଂଜନକୁ ଧରିବାକୁ ଚଢ଼ଉ କରିଥିଲା।
ଦୁଇଦିନ ହେଲା ଫେରାର୍ ଥିଲା
ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଗତକାଲି ସନ୍ଧ୍ୟାରେ ବିଶ୍ୱରଂଜନ ବାସୁଦେବପୁର ବଜାରରେ ବୁଲୁଥିବା ପୁଲିସ ଖବର ପାଇଥିଲା। ଫଳରେ ରାତି ପ୍ରାୟ ୧ଟା ବେଳେ ଗୋଟିଏ ଟିମ୍ ତାଙ୍କର ଚୂଡ଼ାମଣି ଧଳସାହିସ୍ଥିତ ଘରେ ଚଢ଼ଉ କରିଥିଲା। ହେଲେ ବିଶ୍ବରଂଜନ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲା। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଘରଠାରୁ ୨ କିମି ଦୂର ଦାସସାହି ନିକଟ ଏକ ବାଉଁଶ ବଣରେ ବିଶ୍ବରଂଜନ ଧରାପଡ଼ିଥିଲା। ପୁଲିସକୁ ପାଖରେ ଦେଖି ସେ ବିଷ ପିଇଦେଇଥିଲା। ବିଶ୍ବରଂଜନକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଏବଂ ପରେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଜ୍ୟୋତିର୍ମୟୀଙ୍କୁ ହତ୍ୟା କରିବା ପରଠାରୁ ବିଶ୍ବରଞ୍ଜନ ନିଜ ପକେଟ୍ରେ ବିଷ ବୋତଲ ରଖି ବୁଲୁଥିଲା ବୋଲି କୁହାଯାଉଛି।
ଉଲ୍ଲେଖ ଥାଉକି; ଜ୍ୟୋତିର୍ମୟୀ ଓ ବିଶ୍ବରଂଜନଙ୍କ ମଧ୍ୟରେ ୨୦୧୭ ମସିହାରୁ ପ୍ରେମ ସମ୍ପର୍କ ଥିଲା। ବିଶ୍ବରଂଜନ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ବେଙ୍ଗାଲୁରୁର ଜାଗୁଆର୍ ସିକ୍ୟୁରିଟି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନିର ପରିଚାଳନା କମିଟିକୁ କହି ସେଠାରେ ଜ୍ୟୋତିର୍ମୟୀଙ୍କୁ ସିକ୍ୟୁରିଟି ସୁପରଭାଇଜର୍ ଭାବେ ଚାକିରିରେ ଲଗାଇ ଦେଇଥିଲା। ତେବେ କିଛିଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଜ୍ୟୋତିର୍ମୟୀ ପ୍ରେମିକ ବିଶ୍ବରଂଜନଙ୍କୁ ବାହା ହେବା ପାଇଁ ମନା କରିଦେଇଥିଲେ। ଏହା ସହିତ କମ୍ପାନିରୁ ଛୁଟି ନେଇ ୨ ମାସ ତଳେ ଘରକୁ ପଳାଇ ଆସିଥିଲେ। ଫୋନ୍ରେ ଯେତେ ମନାଇଲେ ବି ଜ୍ୟୋତିର୍ମୟୀ ମାନି ନଥିଲେ। କିଛିଦିନ ତଳେ ବିଶ୍ବରଂଜନ ମଧ୍ୟ ଛୁଟିରେ ଘରକୁ ଆସିଥିଲା। ଜ୍ୟୋତିର୍ମୟୀଙ୍କୁ ବୁଝାଇବା ପାଇଁ ଗତ ସୋମବାର ଦିନ ଲିଙ୍ଗପଡ଼ାସ୍ଥିତ ତାଙ୍କ ଘରକୁ ଯାଇଥିଲା। ହେଲେ ସେ ବିବାହ ପାଇଁ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ବିଶ୍ବରଂଜନ ରାଗିଯାଇ ଛୁରିରେ ଜ୍ୟୋତିର୍ମୟୀଙ୍କ ବେକକୁ କାଟି ଦେଇଥିଲା।