ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଯୁବ ଗାଳ୍ପିକ ଡିଲେଶ୍ବର ରଣା ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ୍‌ ଯୋଜନାରେ ମନୋନୀତ ହୋଇଛନ୍ତି। ଏହି ଯୋଜନାରେ ଡିଲେଶ୍ବର ରଣାଙ୍କୁ ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ଅନୁଦାନ ମିଳିବ। ଏହା ସହିତ ନେସନାଲ୍‌ ବୁକ୍‌ ଟ୍ରଷ୍ଟ ପକ୍ଷରୁ ତାଙ୍କର ପାଣ୍ଡୁଲିପି ପ୍ରକାଶିତ ହେବ। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବ ଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା।

Advertisment

‘ଭାରତୀୟ ସ୍ୱାଧୀନତା ସଂଗ୍ରାମ’ ବିଷୟକୁ ନେଇ ସହିଦ ରେଣ୍ଡୋ ମାଝୀଙ୍କ ସଂପର୍କରେ ସେ ଲେଖିଥିଲେ। ସାରା ଭାରତ ବର୍ଷର ବିଭିନ୍ନ ଭାଷାରୁ ୭୫ ଜଣ ଲେଖକ ମନୋନୀତ ହୋଇଛନ୍ତି। ଡିଲେଶ୍ବର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରୁପ୍ରା ପଞ୍ଚାୟତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ପୁତ୍ର ଅଟନ୍ତି। ‘ସମ୍ବାଦ’ର କଥା ପକ୍ଷରୁ ଆୟୋଜିତ ନବପ୍ରତିଭା ଗାଳ୍ପିକ ଭାବେ ମନୋନୀତ ହୋଇଥିଲେ। ସେହିଭଳି ତାଙ୍କର ଗଳ୍ପ ସଂକଳନ ‘ସେଁରା’ ପ୍ରକାଶିତ ହୋଇ ଆଦୃତି ଲାଭ କରିଥିଲା। ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମି ‘ଯୁବସହିତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହିତ ବଲିଉଡ୍‌ ଫିଲ୍ମ ‘ଏ ରେଡ୍ ସାର୍ଟ’ ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଥିଲେ। ବର୍ତ୍ତମାନ ସେ ଭବାନୀପାଟଣା ସହରସ୍ଥିତ ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ଯ୍ୟରତ।