ହାଇଦର୍‌ ଗ୍ୟାଙ୍ଗ୍‌ରେ କମ୍ ବୟସର ଯୁବତୀ

ଯୁବତୀ ଅଚ୍ଚର୍ନାଙ୍କ ସମେତ ୩ ଗିରଫ, ଆଉ କିଛି ଶୀଘ୍ର ଧରାପଡ଼ିବେ

ଫେରାର ହେବାବେଳେ କେନ୍ଦ୍ରାପଡ଼ା ବ୍ୟବସାୟୀଙ୍କୁ ମାଗିଥିଲା ୫ ଲକ୍ଷ ବଟି

କଟକ : ହାଇଦରର ଅପରାଧିକ କାର୍ଯ୍ୟକଳାପରେ ସାମିଲ୍‌ ଅଛନ୍ତି ଏକାଧିକ ଯୁବତୀ। ଏମାନେ ସମସ୍ତେ ହାଇଦରର ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଯୁବତୀମାନେ ପୁଣି କମ୍‌ ବୟସର, ଯେଉଁମାନେ କି ହାଇଦରର ଘନିଷ୍ଠ ଥିଲେ। ସେମାନେ ତାକୁ ନିୟମିତ ଭେଟିବା ସହିତ ତା’ର ଯୋଗାଯୋଗରେ ରହୁଥିଲେ। ହାଇଦର ନିଜେ ଫୋନ୍ ନ ରଖି ବିଭିନ୍ନ ସମୟରେ ବିଭିନ୍ନ ନମ୍ବର ବଦଳାଇ ବଟି ମାଗିବା, ଧମକ ଦେବା ଏବଂ ଯୋଗାଯୋଗ ରଖୁଥିବା ବେଳେ ସେହି ଯୁବତୀମାନେ ହିଁ ତାକୁ ଏଥିରେ ବିଶେଷ ସହଯୋଗ କରୁଥିଲେ। ସେମା‌ନେ ତାକୁ ମୋବାଇଲ୍ ଫୋନ୍ ସିମ୍ ଯୋଗାଇ ଦେଉଥିଲେ। କଟକରୁ ତେଲେଙ୍ଗାନା ଫେରାର ହେବା ବାଟରେ ବି ହାଇଦର ଏଭଳି ଏକ ସିମ୍ ବ୍ୟବହାର କରି କେନ୍ଦ୍ରାପଡ଼ାର ଜଣେ ଗାଡ଼ି ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ବଟି ମାଗିଥିବା ଜଣାପଡ଼ିଛି। ପୁଲିସ ଆଜି ହାଇଦରର ଜଣେ ୧୯ ବର୍ଷୀୟା ଯୁବତୀ ସହଯୋଗୀ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆହୁରି ଦୁଇ ଜଣ ଯୁବତୀଙ୍କୁ ବି ଜେରା ଚଳାଇଛି। ଏକାଧିକ କମ୍‌ ବୟସର ଯୁବତୀ ହାଇଦର୍‌ର ସହଯୋଗୀ ରହିବା ଘଟଣା ପୁଲିସକୁ ବି ଚକିତ କରିଛି।

ମଙ୍ଗଳାବାଗ ଥାନା ପୁଲିସ ଆଜି ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଜତପୁରର ସେକ ରଇସୁଦ୍ଦିନ(୨୬), ମାଲଗୋଦାମ ଯୋବ୍ରା ଟିଣପିଟା ସାହିର ସେକ ଇମ୍ରାନ(୧୯) ଓ ବାଲେଶ୍ବର ଭୋଗରାଇର ଗେଲି ଓରଫ ଲାଣ୍ଡି ଓରଫ ଅର୍ଚ୍ଚନା ପରିଡ଼ା(୧୯)। ପୁଲିସ କହିବା ଅନୁଯାୟୀ, ଇମ୍ରାନ ଜଗତପୁର ପୀର ବଜାର ଅଞ୍ଚଳର ୟାକୁବ ସହିତ ନିୟମିତ ବଡ଼ ଡାକ୍ତରଖାନାକୁ ହାଇଦରକୁ ଭେଟିବାକୁ ଆସୁଥିଲା। ରଇସୁଦ୍ଦିନ ହେଉଛି ହାଇଦରର ପୁରୁଣା ସହଯୋଗୀ। ହାଇଦର ରଶ୍ମି ମହାପାତ୍ର ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ ଯିବା ପରେ କେନ୍ଦ୍ରାପଡାରେ ହାଇଦରର ନିର୍ଦ୍ଦେଶରେ ସେ ଅପରାଧ ଘଟାଉଥିଲା। ଲାଣ୍ଡି ବି ଅନେକ ଦିନ ପୂର୍ବରୁ ହାଇଦର ସହିତ ମିଶି ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା କୁହାଯାଉଛି। କିନ୍ତୁ ତା’ ବିରୋଧରେ କୌଣସି ଆପରାଧିକ ମାମଲା ଥାନାରେ ନ ଥିବା ବେଳେ ସେ କିନ୍ତୁ ବଡ଼ ଡାକ୍ତରଖାନାକୁ ନିୟମିତ ଭାବେ ହାଇଦରକୁ ଭେଟିବାକୁ ଆସୁଥିଲା।

ଏହି ତିନି ଜଣ ବଡ଼ ଡାକ୍ତରଖାନାକୁ ଆସି ହାଇଦର ଫେରାର ହେବା ପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନରେ ସାମିଲ ହୋଇଥିଲେ। ରଇସୁଦ୍ଦିନ ଓ ଇମ୍ରାନଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କିତ ତଥ୍ୟ କେନ୍ଦ୍ରାପଡା ଓ ମାଲଗୋଦାମ ଥାନା ପୁଲିସକୁ ମଗାଯାଇଥିବା ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ହାଇଦରର ତିନି ସହଯୋଗୀ ଚିକୁ ଓରଫ ଇବ୍ରାହିମ ଖାଁ, ମହମ୍ମଦ ଇସ୍ତିଆଜ ଓ ୟାକୁବ ଖାଁ ଗତକାଲି ଗିରଫ ହୋଇଥିବାବେଳେ ଆଜି ଏହି ୩ ଜଣଙ୍କୁ ମିଶାଇ ହାଇଦରର ୬ ସହଯୋଗୀଙ୍କୁ ଗିରଫ କରାଯାଇ ସାରିଲାଣି। ଅର୍ଥାତ ହାଇଦରକୁ ମିଶାଇ ଏଯାଏ ୭ ଜଣ ଗିରଫ ହୋଇସାରିଲେଣି। କିନ୍ତୁ ହାଇଦର ପୁଅ ଆଜାରୁଦ୍ଦିନକୁ ଧରିବା ଏବେ ପୁଲିସ ପାଇଁ ଚାଲେଞ୍ଜ୍ ହୋଇଛି। ମାହାଙ୍ଗାର ବନିତା ରାଉତ,  ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବରୁଣ ରଥ,  କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଶରତ ନାୟକ, ସୋନାଲି ସ୍ୱାଇଁ ପ୍ରମୁଖ ଏବେ ପୁଲିସର ସ୍କାନରରେ ଅଛନ୍ତି। ପୁଲିସର ସନ୍ଦିଗ୍ଧ ତାଲିକାରେ ଏମାନଙ୍କ ନା ରହିଛି। ଏମାନେ ହାଇଦର ସହିତ ଯୋଗାଯୋଗରେ ଥିବାରୁ କି ପ୍ରକାର କାରବାର ସେମାନଙ୍କ ଭିତରେ ଚାଲିଥିଲା ପୁଲିସ ତାହାର ଛାନଭିନ୍ ଚଳାଇଛି।

ହାଇଦର କାରରେ ଖୋର୍ଦ୍ଧାରୁ ଫେରାର ହେବା ସମୟରେ ମୋବାଇଲରେ ସବୁ ଖବର ଉପ‌ରେ ନଜର ରଖୁଥିଲା। ପୁଲିସ ତା’ ପଛରେ ପଡିଥିବା ଜାଣିପାରି ଏକ ନିକାଞ୍ଚନ ସ୍ଥାନରେ କାର ରଖି ସାଙ୍ଗାରେଡି ଜିଲ୍ଲା ଆଡ଼କୁ ବାଇକରେ ଚମ୍ପଟ ମାରିଥିଲା। ତା’ ପରଠାରୁ ସେ କେବଳ ବାଇକ୍ ଓ ଆକ୍ଟିଭାରେ ବୁଲୁଥିଲା।

ସମ୍ବନ୍ଧିତ ଖବର