ବଡ଼ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନଭାଇର ମୃତ୍ୟୁ

ବାଲୁଗାଁ : ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିବା ପରି ଏକ ଅଭାବନୀୟ ଘଟଣା ବାଲୁଗାଁ ଅଞ୍ଚଳରେ ଘଟିଯାଇଛି। ଶ୍ମଶାନରେ ପାଖାପାଖି ଦୁଇଟି ଜୁଇ ପ୍ରସ୍ତୁତ କରାଯାଇ ଏକ ଶୋକାକୂଳ ପରିବେଶରେ ଦୁଇ ଭାଇଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମର ସ୍ବର୍ଗତ କାର୍ତ୍ତିକ ବିଶ୍ବାଳଙ୍କ ଦୁଇପୁଅ ବୃନ୍ଦାବନ ବିଶ୍ବାଳ ଓ ଗଗନ ବିଶ୍ବାଳ। ବୃନ୍ଦାବନ ଓ ଗଗନ ଏକାନ୍ନବର୍ତ୍ତୀ ପରିବାର ଭାବେ ସୁରୁଖୁରୁରେ ଚଳୁଥିବା ଗ୍ରାମବାସୀମାନେ କହିଛନ୍ତି। ବୃନ୍ଦାବନ ବିଶ୍ବାଳ ବେଶୀ ପାଠ ନ ପଢ଼ି ଚାଷ କାର୍ଯ୍ୟ କରିବା ସହିତ ସାନଭାଇ ଗଗନଙ୍କୁ ପାଠ ପଢ଼ାଇବା ପାଇଁ ବହୁ କଷ୍ଟ କରିଥିଲେ। ଗଗନ ମଧ୍ୟ ସାରା ଜୀବନ ବଡ଼ଭାଙ୍କ କଥା ମାନି ଚଳୁଥିଲେ। ଗଗନ ଶିକ୍ଷକତା କରି ବଡ଼ଭାଇଙ୍କୁ ସାହାଯ୍ୟ କରିବାରେ ସମର୍ଥ ହୋଇଥିଲେ। କିଛିଦିନ ହେବ ବଡ଼ଭାଇ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ତାଙ୍କର ପରଲୋକ ଘଟିଥିଲା। ଏଥିରେ ସାନଭାଇ ଗଗନ ମ୍ରିୟମାଣ ହୋଇ ନିଜକୁ ଆୟତ୍ତ କରି ପାରି ନ ଥିଲେ। ସେ ମଧ୍ୟ ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଏହି ଘଟଣାଟି ପ୍ରଚାରିତ ହେବା ମାତ୍ରେ ବାଲୁଗାଁ, ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧିତ ଖବର