ସାନ ଭାଇକୁ ଗୁଳି କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କଲା ବଡ଼

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବାମଣ୍ଡା ଗଡ଼ ରାଉତିଆପଡ଼ାରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବଡ଼ ଭାଇର ଗୁଳି ଓ ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଧରମପାଲ ସିଂହ(୪୫)। ଘଟଣା ଶୁକ୍ରବାର ରାତିରେ ଘଟିଛି। ପୁଲିସ ଅଭିଯୁକ୍ତ ଭାଇ କରମପାଲ ସିଂହକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧକୁ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ ଧରମପାଲ ୧୨ ବର୍ଷ ତଳେ ତାଙ୍କ ପତ୍ନୀଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା କରି ଫେରାର ହୋଇଯାଇଥିଲା। ଏ ନେଇ ଗୁରୁଣ୍ଡିଆ ଥାନାରେ ଏକ ମାମଲା ରହିଛି। ଗତ ପ୍ରାୟ ବର୍ଷେ ହେବ ଧରମପାଲ ବାମଣ୍ଡା ଗଡ଼ରେ ରହୁଥିଲା। ମଝି ମଝିରେ ନିଶାସକ୍ତ ଅବସ୍ଥାରେ ଗାଁକୁ ଆସି ଉତ୍ପାତ କରୁଥି‌ଲା। ତାର ବ୍ୟବହାରରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। ଶୁକ୍ରବାର ରାତିରେ ମଧ୍ୟ ହାତରେ ଏକ ଭୁଜାଲି ଧରି ଉତ୍ପାତ କରିବା ସହିତ ହତ୍ୟା ଧମକ ଦେଉଥିଲା। ବଡ଼ ଭାଇ କରମପାଲ ତାକୁ ବୁଝାଇବା ସତ୍ତ୍ବେ ସେ କାହା କଥା ଶୁଣି ନଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କରମପାଲ ଘରେ ରଖିଥିବା ଏକ ଦେଶୀ ବନ୍ଧୁକରେ ଧରମପାଲ ଉପରକୁ ଗୁଳି ଚଳାଇଥିଲା।

ତେବେ ଗୁଳି ତା’ ପେଟରେ ବାଜିଥିଲା। ଏଥିରେ ଧରମପାଲର ମୃତ୍ୟୁ ହୋଇ ନଥିବା ସନ୍ଦେହ କରି ପୁଣି ଏକ ଟାଙ୍ଗିଆରେ ତା’ ବେକରେ ଚୋଟ ପକାଇଥିଲା। ଘଟଣାସ୍ଥଳରେ ଧରମପାଲର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସମୟରେ ବଡ଼ଭାଇ କରମପାଲ ଆତ୍ମସମର୍ପଣ କରି ଘଟଣା ସ୍ବୀକାର କରିଥିଲା। କୁଚିଣ୍ଡା ଥାନା ଆଇଆଇସି କମଳ ପଣ୍ଡା ଅନ୍ୟ ପୁଲିସ ବାହିନୀ ସହିତ ବାମଣ୍ଡାଗଡ଼ ଯାଇ ମୃତଦେହ ଜବତ କରିବା ସହିତ କାରମପାଲକୁ ଗିରଫ କରିଛନ୍ତି। ଏହା ସହିତ ହତ୍ୟାରେ ବ୍ୟବହାର ହୋଇଥିବା ବନ୍ଧୁକ ଓ ଟାଙ୍ଗିଆ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବାକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପଠାଇଛି।

ସମ୍ବନ୍ଧିତ ଖବର