ଏମ୍‌ବିଏ ପଢୁଆ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନ ମୃତ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିରେ ବଡ଼ଭାଇର ନିସ୍ତୁକ ମାଡ଼ରେ ସାନର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରାଜମୋହନ ସେନାପତି। ଅଭିଯୁକ୍ତ ବିଶ୍ବମୋହନ ସେନାପତିକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ ନୂଆସାହି ଅଞ୍ଚଳର ବିଶ୍ବମୋହନ ଓ ରାଜମୋହନ ହେଉଛନ୍ତି ଦୁଇ ଭାଇ। ବିଶ୍ବମୋହନ ହେଉଛନ୍ତି ବଡ଼ ଏବଂ ସେ ଏମ୍‌ବିଏ ପଢ଼ିଛନ୍ତି। କିନ୍ତୁ ସାନଭାଇ ଏମ୍‌ବିଏ ପାଠ ପଢ଼ିସାରିଲା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲେ। କିନ୍ତୁ ଅନେକ ଥର ପରୀକ୍ଷା ଦେଲା ପରେ ମଧ୍ୟ ତାଙ୍କୁ ସଫଳତା ମିଳିପାରୁ ନଥିଲା। ଏହି କାରଣରୁ ଉଭୟ ବିଶ୍ବମୋହନ ଓ ରାଜମୋହନ ଭିତରେ ମଝିରେ ମଝିରେ ଯୁକ୍ତିତର୍କ ହେଉଥିଲା। ଆଜି କିନ୍ତୁ ଏହା ସୀମା ଟପିଯାଇଥିଲା। ରାଜମୋହନଙ୍କୁ ପାଠ ପଢ଼ିବାକୁ ତାଗିଦ କରି ବିଶ୍ବମୋହନ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ରାଜମୋହନଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ୩୦୨ ଦଫାରେ ଉଚ୍ଚ ଶିକ୍ଷିତ ଏମ୍‌ବିଏ ପଢ଼ୁଆ ବିଶ୍ବମୋହନ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ପରିବାରରେ ଶୋକର ଲହରୀ ଖେଳିଯାଇଛି। ସାହିପଡ଼ିଶାର ଲୋକେ ଓ ବନ୍ଧୁବାନ୍ଧବ ଏହି ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି।

ସମ୍ବନ୍ଧିତ ଖବର