ସାନ ଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ

ଗରଦପୁର : ପାଟକୁରା ଥାନା ସାନ ଅଡ଼ଙ୍ଗା ପଂଚାୟତ ଧସଣାପାରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇର ‌ଭୁଜାଲି ଚୋଟରେ ବଡ଼ଭାଇର ପ୍ରାଣ ଯାଇଛି। ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଧସଣାପାରୀ ଗ୍ରାମର କାମିନୀ ମିଶ୍ରଙ୍କ ବଡ଼ ପୁଅ ଉମାକାନ୍ତ ଓ ସାନ ପୁଅ ଲୋକନାଥ କିଛିବର୍ଷ ଧରି ଗୋଆରେ ରହୁଥିଲେ। ବଡ଼ପୁଅ ଉମାକାନ୍ତ ଗାଁକୁ ଫେରିଆସି ଘରେ ଅଲଗା ହୋଇ ଚଳୁଥିଲେ। ଉମାକାନ୍ତ ଅଧିକାଂଶ ସମୟରେ ଜମିବାଡ଼ିକୁ ନେଇ ଅଶାନ୍ତି ସୃଷ୍ଟି କରୁଥିଲେ। ବିବାଦ ଏକାଧିକ ଥର ଥାନାକୁ ବି ଯାଇଥିଲା। ଅନ୍ୟପକ୍ଷରେ ବଡ଼ଭାଇ ଉମାକାନ୍ତ ଘରେ ଅଶାନ୍ତି ସୃଷ୍ଟି କରୁଥିବା ଖବରପାଇ ଗୋଆରେ ରହୁଥିବା ସାନଭାଇ ଲୋକନାଥ ଲକଡ଼ାଉନ ବେଳେ ଘରକୁ ଫେରି ଆସିଥିଲେ। ଆଜି ଅପରାହ୍ନରେ ଏହି ପାରିବାରିକ ଗଣ୍ତଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ଲାଗିବା ବେଳେ ଉମାକାନ୍ତ ବାପା କାମିନୀଙ୍କ କାନକୁ କାମୁଡ଼ି ଛିଣ୍ତାଇ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କାମିନୀ ଓ ସାନପୁଅ ଲୋକନାଥ ଉମାକାନ୍ତଙ୍କୁ ଆକ୍ରମଣ କରିଥିଲେ। ଲୋକନାଥଙ୍କ ଠେଙ୍ଗା, ଭୁଜାଲି ମାଡ଼ରେ ବଡ଼ଭାଇ ଉମାକାନ୍ତ ଗୁରୁତର ଆହତ ହୋଇଥିଲେ। ପତ୍ନୀ ଉମାକାନ୍ତଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ଉମାକାନ୍ତଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର