ନୟାଗଡ଼/ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଓଡ଼ଗାଁ ବ୍ଲକ୍‌ ଚଢେୟାପଲ୍ଲୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବର୍ବରୋଚିତ କାଣ୍ଡ ଘଟିଛି। ନିଜ ମା’କୁ ମାଡ଼ ମାରିବାରୁ ସାନ ଭାଇର କଟୁରି ଚୋଟରେ ବଡ଼ ଭାଇ କୁବେର ସାହୁ (୩୬)ର ପ୍ରାଣବାୟୁ ଉଡ଼ିଯାଇଛି। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ସାନ ଭାଇ ଧନେଶ୍ବର ସାହୁ (୨୫) ଶରଣକୁଳ ଥାନାରେ ଆତ୍ମସମର୍ପଣ କରିଛି।

Advertisment

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, କୁବେର ଗତକାଲି ରାତିରେ ସବୁଦିନ ଭଳି ଛାତ ଉପରେ ଶୋଇବାକୁ ଯାଇଥି‌ଲେ। କୁବେର ବିବାହିତ ହୋଇଥିବା ବେଳେ ସେମିତି କିଛି କାମଧନ୍ଦା କରୁନଥିଲେ। ମଦ ପିଇ ସବୁବେଳେ ଘରେ ଅଶାନ୍ତି ସୃଷ୍ଟି କରିବା ସହ ନିଜ ପତ୍ନୀ କୁନିଙ୍କୁ ମଧ୍ୟ ମାଡ଼ ମାରୁଥିଲେ। ଏହାକୁ ନେଇ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିବା ବେଳେ ସାନ ଭାଇ ଧନେଶ୍ବର (୨୫) ଓ ବଡ଼ ଭାଇ ମଧ୍ୟରେ ମଧ୍ୟ ଏହି କଥାକୁ ନେଇ ମନୋମାଳିନ୍ୟ ରହିଥିଲା। ଏପରିକି ଗତ ପାଞ୍ଚ ଦିନ ହେଲା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗିବାରୁ କୁନି ନୟାଗଡ଼ ଇଟାମାଟିସ୍ଥିତ ନିଜ ବାପ ଘରେ ଆସି ରହୁଥିଲେ। ଗତକାଲି ସକାଳେ କିଛି କଥାକୁ ନେଇ କୁବେର ନିଜ ମା’ଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲେ। ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦିନ ସାରା ଏହି କଥାକୁ ନେଇ ଘରେ ଅଶାନ୍ତି ଲାଗି ରହିଥିଲା। ରାଗରେ ଜଳୁଥିବା ଧନେଶ୍ବର, ନିଜ ବଡ଼ ଭାଇକୁ ଦୁନିଆରୁ ହଟାଇ ଦେବା ପାଇଁ ରାତିରେ ଯୋଜନା କରିଥିଲା। ପରିବାର ‌ଲୋକେ ତଳ ମହଲାରେ ଶୋଇଥିବା ବେଳେ କୁବେର ଛାତ ଉପରେ ଗରମ କାରଣରୁ ଶୋଇଥିଲେ। ଏହାର ସୁଯୋଗ ନେଇ ଧନେଶ୍ବର ରାତି ପ୍ରାୟ ୧୧ଟାରୁ ୧୨ ଟା ମଧ୍ୟରେ ବଡ଼ ଭାଇ କୁବେରକୁ ହତ୍ୟା କରିଥିଲା। ଶୋଇଥିବା ଅବସ୍ଥାରେ ବଡ଼ ଭାଇ କୁବେରର ମୁଣ୍ଡକୁ କଟୁରିରେ ଚୋଟ ପରେ ଚୋଟ ପକାଇ ଚା‌ଲିଥିଲା। କୁବେରଙ୍କ ଚିତ୍କାର ପରିବାର ଲୋକେ ଶୁଣିପାରିନଥିଲେ। ହତ୍ୟାକାଣ୍ଡ ଘଟାଇ ଧନେଶ୍ବର ବିଳମ୍ବିତ ରାତିରେ ଆସି ଶରଣକୁଳ ଥାନାରେ ଆତ୍ମସମର୍ପଣ କରିଥିବା ଆଇଆଇସି କିରଣ ହେମ୍ବ୍ରମ ସୂଚନା ଦେଇଛନ୍ତି।