କାଠଫାଳିଆ ମାଡ଼ରେ ବଡ଼ଭାଇ ମୃତ; ପତ୍ନୀ ଓ ପୁଅ ଗୁରୁତର

ଯୁବକଙ୍କୁ ପିଟି ପିଟି ମାରିଦେଲେ

ଆନନ୍ଦପୁର/ଠାକୁରମୁଣ୍ଡା : ସାନଭାଇର କାଠ ଫାଳିଆ ମାଡ଼ରେ ବଡ଼ଭାଇଙ୍କ ମୃତ୍ୟୁ ହୋଇଛି। ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଆନନ୍ଦପୁର ଥାନା ଗୟଳମୁଣ୍ତା ପଞ୍ଚାୟତର ମାରାଣ୍ତି ଗ୍ରାମରେ ଘଟିଛି ଏହି ଅଘଟଣ। ମୃତ ବଡ଼ଭାଇଙ୍କ ନାମ ଜିତେନ୍‌ ହୋ(୪୦)। ଆକ୍ରମଣରେ ଜିତେନ୍‌ଙ୍କ ପତ୍ନୀ ହଜୁରୀ ହୋ(୨୮), ପୁଅ ମକରା ହୋ(୯) ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସାଢ଼େ ୭ଟାରେ ଜିତେନ୍‌ଙ୍କ ସହିତ ସାନଭାଇ ସମରାଙ୍କର ପାଟିତୁଣ୍ତ ହୋଇଥିଲା। ସମରା ହଠାତ୍‌ ଏକ କାଠଫାଳିଆରେ ଜିତେନ୍‌ଙ୍କୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ରକ୍ଷା କରିବାକୁ ଯାଇ ପତ୍ନୀ ଓ ପୁଅ ଆହତ ହୋଇଥିଲେ। ଖବରପାଇ ପୁଲିସ୍‌ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଛି। ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଯୁବକଙ୍କୁ ପିଟି ପିଟି ମାରିଦେଲେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ବାବୁପାଲି ଗାଁରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ବାବୁପାଲି ଗାଁର ମକାରୁ ଓରଫ ସୁଦାମ ଥାପ୍ପା (୨୭) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ସେହି ଗାଁର କିଛି ‌େଲାକ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣାରେ ପୁଲିସ ସେହି ଗାଁର ଭାଗ ସାହୁ, ଋଷଭ ସାହୁ(୫୦) ଓ ତାଙ୍କ ପୁଅ ଭରତ ସାହୁ(୧୮)ଙ୍କୁ ଅଟକ ରଖି ତଦନ୍ତ କରୁଛି। ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ପୁଲିସ ମକାରୁର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ହେଲେ ସେଠାରେ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର