ରାଇଘର: ଧାନ କାଟିବା ଦାଆ ସାହାଯ୍ୟରେ ସାନଭାଇ ନିଜ ବଡ଼ଭାଇର ବେକରେ ଚୋଟ ପକାଇବା ସହିତ ମୁହଁ ଓ ମୁଣ୍ଡକୁ କାଟି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଂଚଳରେ । ବଡ଼ଭାଇ ମୁମୂର୍ଷ ଅବସ୍ଥାରେ ହାଟଭରଣ୍ଡି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସାନଭାଇକୁ କୁନ୍ଦେଇ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି |
ହାଟଭରଣ୍ଡି ଗ୍ରାମର ସୁମିତ୍ରା ଗଣ୍ଡ ନିଜ ସ୍ବାମୀ କେଶନାଥ ଗଣ୍ଡଙ୍କ ମୃତ୍ୟୁ ପରେ ବଡ଼ ପୁଅ ମଧୁରାମ ଓ ସାନ ପୁଅ ଧନସିଂଙ୍କୁ ନେଇ ରହୁଛନ୍ତି । ମଧୁରାମ ବିବାହ ହୋଇ ନଥିବା ବେଳେ ଧନସିଂ କିନ୍ତୁ ବଡ଼ଭାଇଙ୍କ ପୂର୍ବରୁ ବିବାହ କରି ସାରିଛନ୍ତି। ଧନସିଂ କୁଲି ମଜୁରି କରି ପରିବାର ଚଲାଉଥିବା ବେଳେ ମଧୁରାମ କିନ୍ତୁ କାମ ଧାମ ନକରି ବେକାରୀ ହୋଇ କେବଳ ମଦ ପିଇ ବୁଲୁଥିବା ମା ସୁମିତ୍ରା ପ୍ରକାଶ କରିଛନ୍ତି। ଗତ ୧୪ ତାରିଖ ଦିନ ମଧୁରାମ ମଦ ପିଇ କୌଣସି କାରଣରୁ ମା’ଙ୍କ ସହ ଝଗଡା କରିବା ସହିତ ମାର ପିଟ ମଧ୍ୟ କରିଥିଲା। ସାନ ପୁଅ ଧନସିଂ କୁଲି କାମ ସାରି ଘରକୁ ଫେରିବା ପରେ ମା ସମସ୍ତ ଘଟଣା ବିଷୟରେ ତାକୁ କହିଥିଲେ। ଏଥିରେ ଧନସିଂ ରାଗି ଯାଇ ରାତି ପ୍ରାୟ ୯ଟା ସମୟରେ ମଧୁରାମଙ୍କ ସହିତ ପ୍ରବଳ ଝଗଡା ହୋଇଥିଲା ଏବଂ ନିକଟରେ ଥିବା ଏକ ଦାଆ ସାହାଯ୍ୟରେ ଆକ୍ରମଣ କରିଥିଲା। ମଧୁରାମଙ୍କ ବେକକୁ କାଟିବା ସହିତ ମୁହଁ ଓ ମୁଣ୍ଡକୁ ଧନସିଂ ଦାଆ ସାହାଯ୍ୟରେ ଚୋଟ ମାରିଥିଲା। ଫଳରେ ଘଟଣା ସ୍ଥଳରେ ମଧୁରାମ ଗୁରୁତର ହୋଇଯାଇ ଥିଲେ। ପାଟି ଶୁଣି ପାଖ ପଡ଼ୋଶୀ ଲୋକେ ଘଟଣା ସ୍ଥଳରେ ପହଞ୍ଚି ମଧୁରାମଙ୍କୁ ଉଦ୍ଧାର କରି ହାଟଭରଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।
ଅପରପକ୍ଷରେ ଏ ନେଇ ସୁମିତ୍ରା ଗଣ୍ଡ କୁନ୍ଦେଇ ଥାନାରେ ଲିଖିତ ଜଣାଇବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ମଧୁରାମ ଓ ସୁମିତ୍ରାଙ୍କ ବୟାନ ସଂଗ୍ରହ କରି ଆଜି ଧନସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏ ନେଇ କୁନ୍ଦେଇ ଥାନାରେ କେସ ନମ୍ବର ୧୦୩/୨୦୨୨ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ ଶ୍ରୀସେଠୀ ତଦନ୍ତ ଦାୟିତ୍ୱ ନେଇଛନ୍ତି। ଅପରପକ୍ଷରେ ମଧୁରାମ ଏବେ ସୁସ୍ଥ ହୋଇ ଆସୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/3e5d8eec-c428-4a6d-8c1d-da6e40ad501d.jpg)