ଶିକ୍ଷା ବିଭାଗ କିରାଣିଙ୍କ ତ୍ରୁଟି: ଭୋପାଳ ଯୁବକଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା ଏମଡିଏମ୍ ଟଙ୍କା, ଯୁବକ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ ଟଙ୍କାରୁ ୪୯ ଲକ୍ଷ ୧୩ ହଜାର ଟଙ୍କା ଭୁଲକ୍ରମେ ଭୋପାଳର ଜଣେ ଯୁବକ ପ୍ରତାପ ସିଂ ଚାୱାଲାଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଯୁବକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ୩୬ ଲକ୍ଷ ୨ ହଜାର ୪ ଶହ ଟଙ୍କା ଟଙ୍କା ଫେରସ୍ତ ଆଣିବାରେ ସକ୍ଷମ ହୋଇଥିବା ବେଳେ ଉଠାଇ ନେଇଯାଇଥିବା ଅବଶିଷ୍ଟ ଟଙ୍କା ଫେରାଇବାକୁ ଯୁବକ ଦିନ ଗଡ଼ାଇ ଚାଲିଲେ। ଶେଷକୁ ଜିଲ୍ଲା ଶିକ୍ଷା ଅଧିକାରୀ ଟାଉନଥାନାରେ ଏତଲା ଦେବା ପରେ ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଭୋପାଳରୁ ସମ୍ପୃକ୍ତ ଯୁବକକୁ ଗିରଫ କରି ସୁନ୍ଦରଗଡ଼ ଆଣି କୋର୍ଟ ଚାଲାଣ କରିଛି। ଯୁବକଙ୍କ ଠାରୁ ୬ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁସାରେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦପ୍ତରର ଜଣେ କିରାଣି ମଧ୍ୟାହ୍ନ ଭୋଜନ ପାଇଁ ସୁନ୍ଦରଗଡ଼ ସାଧାରଣ ଯୋଗାଣ ବିଭାଗ ୟୁବିଆଇ ଶାଖା ଆକାଉଣ୍ଟ ୭୧୭୮୦୧୦୧୦୦୫୦୧୦୩ରେ ଇ-ଟ୍ରାନ୍ସଫର ମାଧ୍ୟମରେ ଦୁଇଟି ଚେକରେ ୪୯ ଲକ୍ଷ ୧୩ ହଜାର ୭୯୦ ଟଙ୍କା ଜମା କଲା ବେଳେ ଭୁଲକ୍ରମେ ତାହା ଭୋପାଳର ୟୁବିଆଇ ସାଲ୍ଲାଇୟା ଶାଖାରେ ଥିବା ପ୍ରତାପ ସିଂ ଚାୱାଲାଙ୍କ ଆକାଉଣ୍ଟ ୭୦୭୮୦୧୦୧୦୦୫୦୧୦୩ରେ ଜମା ହୋଇଯାଇଥିଲା। ତେବେ ଏହି ଟଙ୍କା ଯୋଗାଣ ବିଭାଗ ଆକାଉଣ୍ଟରେ ନପହଞ୍ଚିବାରୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଆସି ପାରି ନଥିଲା। ଏହା ପରେ ଶିକ୍ଷା ଅଧିକାରୀ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ତନାଘନା କରିବା ପରେ ଟଙ୍କା ଅନ୍ୟ ଆକାଉଣ୍ଟରେ ଜମା ହୋଇଥିବା ଜଣାପଡ଼ିଥିଲା। ଏହା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଯୁବକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦୁଇଟି ପର୍ଯ୍ୟାୟରେ ୩୬ ଲକ୍ଷ ୨ ହଜାର ୪ ଶହ ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ଫେରସ୍ତ କରିଥିଲେ। ତେବେ ଏହା ପୂର୍ବରୁ ଯୁବକ ୧୩ ଲକ୍ଷ ୩୧ ହଜାର ୭୮ ଟଙ୍କା ଉଠାଇ ନେଇ ଯାଇଥିଲା।

ଏ ସମ୍ପର୍କରେ ଗତ ଜୁନ ୨୦ରେ ଜିଲ୍ଲା ଶିକ୍ଷାଧିକାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ଜାଣିବାପରେ ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଟାଉନ ଥାନ ଏସଆଇ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଭୋପାଳ ଯାଇ ୨୫ ତାରିଖରେ ଯୁବକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର