ପାରାଦୀପରେ ସନ୍ଦିଗ୍ଧ ଯୁବକ ଅଟକ ଘଟଣା : ‌ଦ୍ବନ୍ଦ୍ବରେ ପୁଲିସ୍‌; ଛାଡ଼ିବ ନା ଛାଡ଼ିବନି?

ଜଗତସି˚ହପୁର : ଭାରତୀୟ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟକୁ ବେଆଇନ ଭବେ ପଶିଯାଇଥିବା ମହମ୍ମଦ ସାୱେଜ୍‌ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗତ ବୁଧବାର ରାତିରୁ ପାରାଦୀପ ଥାନା ପୁଲିସ ସାୱେଜଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲେ ମଧୢ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର ମୂଳରେ ପହଞ୍ଚିପାରିନାହିଁ। ପ୍ରାଥମିକ ତଦନ୍ତରୁ ସେ ଜଣେ ଶୀତବସ୍ତ୍ର ବେପାରୀ ବୋଲି ଜାଣିବାକୁ ପାଇଛି ଥିଲେ ବି ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ନହେବା ପର୍ଯ୍ୟନ୍ତ ପୁଲିସ୍‌ ତାଙ୍କୁ ଛାଡ଼ି ପାରୁନି।

କେବଳ ସାୱେଜ ନୁହନ୍ତି ଏମିତି ଏକାଧିକ ଯୁବକ ଉତ୍ତର ପ୍ରଦେଶରୁ ସାଥୀ ହୋଇ ଆସି ପାରାଦୀପରେ ଶୀତବସ୍ତ୍ର ବେପାର କରୁଥିବା ପୁଲିସ ଜାଣିବାକୁ ପାଇଛି। ତଥାପି ସାୱେଜଙ୍କୁ ଛାଡ଼ିବା ପୂର୍ବରୁ ପୁଲିସ ଶହେ ଥର ଚିନ୍ତା କରିବାକୁ ବାଧ୍ୟ ହୋଇଛି। ‘ହାଇ ସିକ୍ୟୁରିଟି ଜୋନ୍‌’ ଭାବେ ଜଣା ଭାରତୀୟ ତଟରକ୍ଷୀ ବାହିନୀ କାର୍ଯ୍ୟାଳୟ ପରିସରକୁ ପଶିଯାଇଥିବା ସାୱେଜଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନ ପାଇବା ପର୍ଯ୍ୟନ୍ତ ପୁଲିସ ଟିକିନିଖି ତଦନ୍ତ କରୁଛି। ଉତ୍ତରପ୍ରଦେଶରୁ ଆସିବା ପରେ ସାୱେଜ ପ୍ରଥମେ କେଉଁଠି ରହିଥିଲା? ତାକୁ ପାରାଦୀପକୁ ବେପାର ପାଇଁ କିଏ ଡକାଇଥିଲା?..ଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପୁଲିସ ପାଇଁ ଜରୁରି ହୋଇପଡ଼ିଛି। ସେହି କାରଣରୁ ଏଯାବତ୍‌ ପୁଲିସ ସାୱେଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ, ବର୍ତ୍ତମାନ ସୁଦ୍ଧା ସେମିତି କୌଣସି ସୁରାକ୍‌ ମିଳି ନଥିବାରୁ ଆସନ୍ତାକାଲି ପୁଲିସ ସାୱେଜଙ୍କୁ ଛାଡ଼ି ଦେଇପାରେ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର