ଯୁଯୁମୁରା: ଜଣେ ମହିଳା ବନରକ୍ଷୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଧମକଚମକ ଅଭିଯୋଗରେ ଯୁଯୁମୁରା ଥାନା ଡୁଡୁକାକୁଦର ସୁବୋଧ ମିର୍ଦ୍ଧା (୨୭) ନାମକ ଯୁବକ ଗିରଫ ହୋଇଛି। ଗତ ୨୯ ତାରିଖ ଯୁବକ ଜଣକ ଯୁଯୁମୁରା ଥାନା ଓ ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ କଣ୍ଡରାପାଟ ସଂରକ୍ଷିତ ଜଙ୍ଗଲରୁ ମାଟି ନେବା ପାଇଁ ଜମି ସଫା କରୁଥିଲେ। ଏତିକିବେଳେ ପେଟ୍ରୋଲିଂ କରୁଥିବା ବନରକ୍ଷୀ ଉଷାବତୀ ବେହେରା ସେଠାରେ ପହଞ୍ଚି ଉକ୍ତ ସ୍ଥାନ ଜଙ୍ଗଲ ଜମି କି ନୁହେଁ ଜାଣିବା ପାଇଁ ଜିପିଏସ୍ ମେସିନ୍ କାଢ଼ିଥିଲେ।
ଏହା ଦେଖି ସୁବୋଧ ତାଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା ଓ ମାରି ଦେବାକୁ ଧମକ ଦେଇଥିଲା। ଫଳରେ ବନରକ୍ଷୀ ଜଣକ ସେଠାରୁ ଫେରି ଯାଇଥିଲେ। ପରଦିନ ସୁବୋଧକୁ ତାଗିଦ କରିବାକୁ ବଡ଼ସାହି ବନ କାର୍ଯ୍ୟାଳୟକୁ ଡକା ଯାଇଥିଲା। ସେଠାକୁ ଯାଇ ମଧ୍ୟ ସେ ଉପସ୍ଥିତ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଓଲଟି ଧମକ ଦେଇଥିଲେ। ଏହାପରେ ବନରକ୍ଷୀ ଜଣକ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ। ସୁବୋଧକୁ ଥାନାକୁ ଡକା ଯାଇଥିବାବେଳେ ଥାନା ବାହାରେ ସେ ପୁଣି ପାଟିତୁଣ୍ଡ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଶୁକ୍ରବାର ଯୁଯୁମୁରା ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest.jpg)