ପୁରୀ : ୬ ବର୍ଷ ପୂର୍ବେ ରେଳ ଷ୍ଟେସନରେ ବୁଲାବୁଲି କରୁଥିବା ବାପାମା’ ଛେଉଣ୍ଡ ପିଲାକୁ ପୁଅ କରି ଘରକୁ ଆଣିଥିଲେ। ଏହି ପୁଅକୁ ନିଜର ପରିଚୟ ଦେଇଥିଲେ। ମାତ୍ର ଏବେ ସେ ବଡ଼ ହେବା ପରେ ନିଶା ପାଇଁ ବୃଦ୍ଧ ବାପାଙ୍କୁ ଆକ୍ରମଣ କରି ଆତଙ୍କରାଜ ସୃଷ୍ଟି କରୁଛି। ତେଣୁ ବାଧ୍ୟ ହୋଇ ଏହି ପୋଷ୍ୟ ପୁତ୍ର ବିରୋଧରେ ବାପ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏହି ପୋଷ୍ୟ ପୁତ୍ରକୁ ଗିରଫ ପରେ ସୋମବାର ଦିନ କୋର୍ଟଚାଲାଣ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅବସରପ୍ରାପ୍ତ ତହସିଲଦାର ଆରତତ୍ରାଣ ତ୍ରିପାଠୀ(୭୫) କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଉପରନୂଆସାହିରେ ରହୁଛନ୍ତି। ଛଅ ବର୍ଷ ପୂର୍ବେ ସେ ପୁରୀ ରେଳଷ୍ଟେସନକୁ ଯାଇଥିବା ବେଳେ ବାପାମା’ ଛେଉଣ୍ଡ ଅଭିଷେକ(୩୦ ବର୍ଷ) ସହିତ ତାଙ୍କର ପରିଚୟ ହୋଇଥିଲା। ତାଙ୍କର କୌଣସି ସନ୍ତାନ ନଥିବାରୁ ସେ ଅଭିଷେକକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନିଜର ପରିଚୟ ଦେଇ ଘରକୁ ନେଇ ଆସିଥିଲେ। କିନ୍ତୁ ଅଭିଷେକର ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା। କ୍ରମେ ସେ ନିଶାସକ୍ତ ହୋଇ ପୁରୀ ସହରରେ ଅପରାଧ କରିଚାଲିଲା। ଏପରିକି ନିଶା ପାଇଁ ସେ ଆରତତ୍ରାଣଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲା। ଏଥିପାଇଁ ସେ ଜେଲ ମଧ୍ୟ ଯାଇଛି। ଇତିମଧ୍ୟରେ ଅଭିଷେକ ପ୍ରାୟ ୬ଟି ମାମଲାରେ ସମ୍ପୃକ୍ତ ରହିଛି। ଗତ ୬ ମାସ ହେବ ସେ ଜେଲରେ ରହି ଗତ ୩ ଦିନ ପୂର୍ବେ ଘରକୁ ଆସିଛି। ଆଜି ନିଶା ପାଇଁ ଅଭିଷେକ ତାଙ୍କୁ ଆକ୍ରମଣ କରିବା ସହ ଔଷଧ ପାଇଁ ରଖିଥିବା ୨୨ଶହ ଟଙ୍କା ତାଙ୍କ ପକେଟରୁ ଛଡ଼ାଇ ନେଇ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଆରତତ୍ରାଣ ଜଣେ ବରିଷ୍ଠ ନାଗରିକ ଓ ରୋଗଗ୍ରସ୍ତ ଥିବାରୁ ସେ ଭୟଭୀତ ହୋଇ ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ୨୩୦/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଅଭିଷେକକୁ ଗିରଫ ପରେ କୋର୍ଟଚାଲାଣ କରିଛି।