ସାଇବର୍‌ ଠକକୁ ଧରିଲା ଦିଲ୍ଲୀ ପୁଲିସ୍‌ : ଚାକିରି ଦେବା ନାମରେ ଟଙ୍କା ଲୁଟୁଥିଲା

ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ଆପ୍‌କୁ ହ୍ୟାକ୍‌ କରିଥିଲା

ଭଦ୍ରକ/ଧାମନଗର/ଅସୁରାଳି : ଚାକିରି ଦେବା ନାଁରେ ଲୋକଙ୍କୁ ଠକିବା ଓ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ ଆପ୍‌କୁ ହ୍ୟାକ୍ କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଯାଜପୁର ଜିଲ୍ଲା ବରୀ ଛତିଆ ଅଞ୍ଚଳର ରାଜେନ୍ଦ୍ର ମଲିକ (୩୪)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ରାଜେନ୍ଦ୍ର ନିଜ ଶ୍ବଶୂର ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତ ନରହରିପୁର ଗାଁରେ ଆତ୍ମଗୋପନ କରିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ସ୍ଥାନୀୟ ଧୂଷୁରୀ ପୁଲିସ୍‌ ସହାୟତାରେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ରାଜେନ୍ଦ୍ର ଭୁବନେଶ୍ବରରେ ରହି ବେକାର ଯୁବକଯୁବତୀଙ୍କୁ ଚାକିରି ଦେବା ନାମରେ ଫେକ୍‌ ଆଇଡି ଖୋଲିବା ସହ ସୋସିଆଲ୍‌ ମିଡିଆରେ ପ୍ରଚାର କରୁଥିଲା। ଆଉ ଯିଏ ତା ପାଲରେ ପଡୁଥିଲା, ବିମାନବନ୍ଦରରେ ଚାକିରି ମିଳିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଫେକ୍ ଆଇଡିରେ ନାମ ରେଜିଷ୍ଟ୍ରସନ ପାଇଁ ଏକ ହଜାର ଟଙ୍କା ଡିପୋଜିଟ୍ କରିବାକୁ କହୁଥିଲା। କେବଳ ସେତିକି ନୁହେଁ, ଟ୍ରାଭେଲିଂ ଏଜେନ୍‌ସି ମାଧ୍ୟମରେ ଅନଲାଇନ୍ ବିମାନ ଓ ଟ୍ରେନ୍ ଟିକଟ ବୁକିଂ କରିବାକୁ କହି ଲୋକଙ୍କଠୁ ଟଙ୍କା ଠକୁଥିଲା। ଚାକିରି ଲୋଭରେ ପଡି ଅନେକ ଫେକ୍ ଆଇଡିରେ ଟଙ୍କା ଡିପୋଜିଟ୍ ମଧ୍ୟ କରୁଥି‌ଲେ। ଏହି ଟଙ୍କାକୁ ସେ ସଙ୍ଗେ ସଙ୍ଗେ ନିଜର ୮ଟି ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ଟ୍ରାନ୍‌ସଫର୍‌ କରି ଦେଉଥିଲା। ଏମିତିକି ବିଶ୍ବାସ ଜନ୍ମାଇବା ପାଇଁ ବିଭିନ୍ନ ସମୟରେ ନାମୀଦାମୀ କ˚ପାନିର ଲୋଗୋକୁ ବ୍ୟବହାର କରି ଚାକିରି ଆଶାୟୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଲୁଟି ଚାଲିଥିଲା। ରାଜେନ୍ଦ୍ର ବିଭିନ୍ନ ବ୍ୟାଙ୍କରେ ଭିନ୍ନ ଭିନ୍ନ ଲୋକଙ୍କ ନାମରେ ନିଜ ଫଟୋ ରଖି ଆକାଉଣ୍ଟ ଖୋଲିବା ସହ ବେଆ‌ଇନ୍ ଅର୍ଥ ସଂଗ୍ରହ କରୁଥିବା ଜଣାପଡ଼ିଛି। ତେବେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନଘାଟିର ଆପ୍‌କୁ ହ୍ୟାକ୍ କରି ଏହାର ଲୋଗୋକୁ ବ୍ୟବହାର କରିବା ପରେ ସନ୍ଦେହଘେରକୁ ଆସିଥିଲା ରାଜେନ୍ଦ୍ର। ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ଦିଲ୍ଲୀ ପୁଲିସ ଏ ନେଇ ଖୋଳତାଡ଼ ଚଳାଇ ଏଥିରେ ରାଜେନ୍ଦ୍ରର ସ˚ପୃକ୍ତି ଥିବା ଜାଣିବାକୁ ପାଇଥିଲେ। ପରେ ତାର ମୋବାଇଲ ଫୋନକୁ ଦିଲ୍ଲୀ ପୁଲିସ ଟ୍ରାକି˚ରେ ରଖିଥିଲା। ରାଜେନ୍ଦ୍ର ନିଜ ଶ୍ବଶୁର ଘରେ ଥିବା ଜାଣିବାକୁ ପାଇବା ପରେ ଦିଲ୍ଲୀ ପୁଲିସର ବରିଷ୍ଠ ଇନ୍‌ସପେକ୍ଟର ଅଜୟ କୁମାରଙ୍କ ନେତୃତ୍ବରେ ସବଇନ୍‌ସପେକ୍ଟର ସତୀଶ କୁମାର, କନେଷ୍ଟବଳ ଓମ ବରୀ, ଧୁଷୁରୀ ଥାନା ଏସ୍‌ଆଇ ମହାପ୍ରସାଦ ନାୟକ, ବି. ସ୍ବାଇଁ, ଏଏସ୍‌ଆଇ ଧୃତରାଷ୍ଟ୍ର ମଲିକ ପ୍ରମୁଖ ଗତକାଲି ବିଳମ୍ବିତ ରାତିରେ ଚଢଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ଧାମନଗର କୋର୍ଟରେ ହାଜର କରି ଦିଲ୍ଲୀ ପୁଲିସ ରାଜେନ୍ଦ୍ରକୁ ନିଜ ହେପାଜତକୁ ନେଇଛି। ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କାରେ ପୁଲିସ ଅଧିକ ତଥ୍ୟ ଦେବାକୁ ମନା କରିଛି। ଏ ସମ୍ପର୍କରେ ଦିଲ୍ଲୀ ପୁଲିସ ଗତ ମାସ ୨ ତାରିଖରେ ରାଜେନ୍ଦ୍ର ନାମରେ କେସ୍ ନଂ ୨୫୧/୨୦ରେ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର