ଭୁବନେଶ୍ୱର : ପଡ଼ୋଶୀଙ୍କ ଗୁଳିରେ ଟଳି ପଡ଼ିଛି ପୋଷା ବିଲେଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀର ଖାରବେଳ ନଗର ଥାନା ଅଞ୍ଚଳରେ। ବିଲେଇରମୁଣ୍ଡ ଓ ଛାତିରେ ଦୁଇଟି ଗୁଳି ବାଜିଥିବା ଡାକ୍ତର କହିଛନ୍ତି। ଏକ୍ସରେ ରିପୋର୍ଟରେ ଗୁଳିକାଣ୍ଡ ସ୍ପଷ୍ଟ ହେବା ପରେ ପିପୁଲ୍ସ ଫର ଆନିମଲ୍ସ(ପିଏଫ୍ଏ) ପକ୍ଷରୁ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି। ଆସନ୍ତାକାଲି ଓୟୁଏଟି ଭେଟେରିନାରିରେ ଶବ ବ୍ୟବଚ୍ଛେଦ କରାଯିବ। ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ପୁଲିସ ଅଭିଯୋଗକାରୀଙ୍କ ପଡ଼ୋଶୀ ଆଶୁତୋଷ ନାୟକଙ୍କୁ ଗିରଫ କରିଛି।
ୟୁନିଟ୍-୪ ପୋଷ୍ଟାଲ କଲୋନି ଆଗରେ ଥିବା ଆଇଭିଏନ୍-୩୮କ୍ବାର୍ଟର୍ସରେ ରହୁଥିବା ସୁଶାନ୍ତ ପଟ୍ଟନାୟକଙ୍କ ବିଲେଇ ଏଭଳି ଗୁଳିକାଣ୍ଡର ଶିକାର ହୋଇଛି। ଆଜି ଅପରାହ୍ଣରେ ଗୁଳି ଫୁଟିବା ଶବ୍ଦ ଶୁଣି ପରିବାର ଲୋକେ ଦେଖିଲା ବେଳକୁ ବିଲେଇଟି ଖଣ୍ଡେ ଦୂରରେ ଛିଟିକି ପଡ଼ି ଛଟପଟ ହେଉଥିଲା। ସେମାନେ ତାକୁ ତୁରନ୍ତ ଭେଟେରିନାରି ହସ୍ପିଟାଲକୁ ନେଇଥିଲେ। ହେଲେ ସେତେବେଳକୁ ଡେରି ହୋଇଯାଇଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁଁ ବିଲେଇର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ମାଲିକ ସୁଶାନ୍ତ ପଟ୍ଟନାୟକ ଏଥିପାଇଁ ପଡ଼ୋଶୀଙ୍କୁ ଦାୟୀ କରିଛନ୍ତି। ପୂର୍ବରୁ ଏଭଳି ଢଙ୍ଗରେ ତାଙ୍କର ୫ଟି ବିଲେଇଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ପଡ଼ୋଶୀଜଣକ ତାଙ୍କ ଘର ପାଖରେ ପକ୍ଷୀ ଶିକାର କରନ୍ତି। ଏଣୁ ପକ୍ଷୀ ଶିକାର କରୁଥିବା ଛର୍ରା ବନ୍ଧୁକରେ ବିଲେଇକୁ ଗୁଳି କରାଯାଇଛି। ଯିଏ ବିଲେଇକୁ ଏଭଳି ନିଷ୍ଠୁର ଭାବରେ ମାରି ପାରୁଛି, ସେ ଆମକୁ ବି ମାରି ଦେବ ବୋଲି ଆଶଙ୍କା କରି ସେ ଭୟଭୀତ ହୋଇ ପଡ଼ିଥିବା କହିଛନ୍ତି।
ପିଏଫ୍ଏ ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଗୁଳି କେଉଁଠୁ ଆସିଲା? ବନ୍ଧୁକ ଲାଇସେନ୍ସପ୍ରାପ୍ତ କି ନୁହେଁ? କେଉଁ କାରଣରୁ ଏକ ନିରୀହ ପ୍ରାଣୀ ଉପରକୁ ଗୁଳି ଚଳାଇଲେ? ଆଗରୁ ତାଙ୍କ ନାମରେ ଏଭଳି କିଛି ଅଭିଯୋଗ ଅଛି କି ନାହିଁ ଏସବୁ ବିଷୟରେ ତଦନ୍ତ କରୁଛି ପୁଲିସ। ଅଭିଯୁକ୍ତ ପଡ଼ୋଶୀ ସରକାରୀ କ୍ବାର୍ଟର୍ସରେ ରହୁଛନ୍ତି। ଏଣୁ ସରକାରୀ କ୍ବାର୍ଟର୍ସରେ ବେଆଇନ ବନ୍ଧୁକ ରହିବା ଏବଂ ଗୁଳି ଫୁଟିବା ପ୍ରସଙ୍ଗକୁ ପୁଲିସ ଗୁରୁତ୍ବର ସହ ନେଇଛି।
ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ରାଜଧାନୀ ରାସ୍ତାରେ କେତୋଟି କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ କାର୍ ଚାଳକଙ୍କୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/cat-fff.jpg)