ଗୁଣି ସନ୍ଦେହରେ ଡବଲ ମର୍ଡର, ହତ୍ୟାକାରୀଙ୍କୁ ହତ୍ୟା କରି ଯୁବକ ଗିରଫ

ଅମ୍ବାଦଳା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟ୍ଟା ଗ୍ରାମରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଦୁଇଟି ହତ୍ୟାକାଣ୍ଡ ଘଟିଛି। ଗୁଣି ଗାରେଡ଼ି କରି ନିଜ ବଡ଼ ବାପାଙ୍କ ପୁଅକୁ ୩ମାସ ତଳେ ମାରି ଦେଇଥିବା ସନ୍ଦେହରେ ଗ୍ରାମର କରୁଣା ନାୟକ ସେହି ଗ୍ରାମର ମକର ନାୟକଙ୍କୁ ଗତକାଲି ହତ୍ୟା କରିଛି। ହତ୍ୟା କରିବା ପରେ କରୁଣା ଗାଁ ଦାଣ୍ଡରେ ଠେଙ୍ଗା ଧରି ଖୁସିରେ ଚିତ୍କାର କରିବା ସହ ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା କହିଥିଲା। ଏହି ସମୟରେ ମୃତ ମକରଙ୍କ ଭାଇ ନକୁଳ ଏକ ଟାଙ୍ଗିଆରେ ଆକ୍ରମଣ କରି କରୁଣାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଅମ୍ବାଦଳା ପୁଲିସ ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନକୁଳକୁ ଗିରଫ କରିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ସୁକଲାଭଟ୍ଟା ଗ୍ରାମର ବିଦ୍ୟାଧର ନାୟକଙ୍କ ୩ମାସ ତଳେ ମୃତ୍ୟୁ ଘଟିଥିଲା। ଏହି ଗ୍ରାମର ମକର ନାୟକ ଗୁଣି ଗାରେଡ଼ି କରିବା ଯୋଗୁଁ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିବା ନେଇ ବିଦ୍ୟାଧରଙ୍କ ଦାଦା ପୁଅ ଭାଇ କରୁଣା ନାୟକ ସନ୍ଦେହ କରିଥିଲେ। କରୁଣା ଟିଟିଲାଗଡରେ ରହୁଥିବା ବେଳେ ଭାଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ୩ମାସ ହେଲା ସୁକଲାଭଟ୍ଟା ଗ୍ରାମରେ ରହୁଥିଲା। ଗତକାଲି ମକର ନାଏକ(୫୫) ଜମିରୁ ହଳ ସାରି ଘରକୁ ଫେରିବା ସମୟରେ ନିକଟସ୍ଥ ଜଙ୍ଗଲରେ ମକରକୁ ଏକା ପାଇ କରୁଣା ଏକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ମୁଣ୍ଡରେ ପ୍ରବଳ ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ମକରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କରୁଣା ‌ଠେଙ୍ଗା ଧରି ଗାଁ ଦାଣ୍ଡରେ ବୁଲିବା ସହ ମକରଙ୍କୁ ହତ୍ୟା କରିଥିବା ନେଇ ଚିତ୍କାର କରିଥିଲା। ଏହା ଶୁଣିବା ପରେ ମୃତ ମକରଙ୍କ ଭାଇ ନକୁଳ ଓ କିଛି ସଂପର୍କୀୟ କରୁଣାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଏହି ସମୟରେ ପ୍ରାଣ ବିକଳରେ କରୁଣା ହରିଜନ ସାହିର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା। ତେବେ କରୁଣାଙ୍କୁ ଘର ଭିତରୁ ବାହାର କରି ନକୁଳ ଓ ସଂପର୍କୀୟ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ମୁଣ୍ଡରେ ପ୍ରବଳ ଆଘାତ ଲାଗିବାରୁ ଘଟଣାସ୍ଥଳ‌ରେ ହିଁ କରୁଣାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର