ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଝାରସୁଗୁଡ଼ା : ବିବାହ କରିବାକୁ ନେଇ ଘରେ ରଖି ଶାରୀରିକ ନିର୍ଯାତନା ଦେବା ସହିତ ଜବରଦସ୍ତ ଜଣେ ଯୁବତୀ ସହିତ ଶାରୀରିକ ସଂପର୍କ ରଖିବା ଅଭିଯୋଗରେ ଗୁରୁବାର ବଡ଼ମାଲ ପୁଲିସ ସୁନ୍ଦରଗଡ଼ ଲେଫ୍ରିପଡ଼ାରେ ରହୁଥିବା ବିଟୁ ନାଏକ (୩୦)କୁ ଗିରଫ କରିଛି।

ପୀଡ଼ିତା ଯୁବତୀଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ଏହି ଥାନା ଅନ୍ତର୍ଗତ ବୁର୍ଖାମୁଡ଼ାଠାରେ ଏକ ଭଡ଼ା ଘରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲା। ସେଠାରେ ଏହି ଯୁବତୀ ସହିତ ତା’ର ପ୍ରେମ ସଂପର୍କ ହୋଇଥିଲା। ଏହା ଜାଣା ପଡ଼ିବା ପରେ ଯୁବତୀର ଘର ଲୋକ ଯୁବକର ଘର ଲୋକଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଯୁବକର ଘର ଲୋକ ଏଥିରେ ରାଜି ହୋଇ ଯୁବତୀଙ୍କୁ ଗତ ୪/୫ ମାସ ତଳେ ଘରକୁ ନେଇ ସେଠାରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେଠାରେ ଯୁବତୀ ସହିତ ଉକ୍ତ ଯୁବକ ବାହା ନହୋଇ ଶାରୀରିକ ସଂପର୍କ ରଖିବା ସହିତ ପ୍ରତିରୋଧ କଲେ ନିର୍ଯାତନା ଦେଉଥିଲା। ୮ ତାରିଖ ଦିନ ଯୁବତୀ ଜଣକ ସେଠାରୁ ଖସି ବଡ଼ମାଲ ଥାନାରେ ୧୩ ତାରିଖ ଦିନ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରି କେସ୍‌ ନମ୍ବର ୫୩ ରେ ଏକ ମାମଲା ରୁଜୁ କରି ବିଟୁକୁ ଲେଫ୍ରିପଡ଼ାରୁ ଗିରଫ କରିଥିଲା। ଗୁରୁବାର ତାକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର