ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କୁ ଅପହରଣ ପରେ ମାସେ ୧୦ ଦିନ ଧରି ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରିଛି। ଦଫା ୩୬୩ ଓ ୩୭୬ ଏବଂ ୬ ପୋକ୍ସୋ ଆକ୍ଟରେ ଗୁରୁବାର ଦିନ ଅଭିଯୁକ୍ତକୁ ଯାଜପୁର ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅଭିଯୁକ୍ତ କଳିଙ୍ଗନଗର ଥାନା ଗୋବରଘାଟି ଫେଜ୍-୨ କଲୋନିର ଲକ୍ଷ୍ମଣ ଜାମୁଡ଼ା(୨୨)।

ଲକ୍ଷ୍ମଣ ପୂର୍ବରୁ ୩ ଜଣ ମହିଳାଙ୍କୁ ବିବାହ କରିଛି। ସଂପୃକ୍ତ ଛାତ୍ରୀଙ୍କୁ ଅପହରଣ ପରେ ସେ ଚତୁର୍ଥ ବିବାହ ଯୋଜନ‌ା କରିଥିଲା। ହେଲେ ପୂର୍ବରୁ ଥିବା ୩ ପତ୍ନୀଙ୍କ ଆଡ଼ୁ ପାରିବାରିକ କଳହ ଓ ଛାତ୍ରୀଙ୍କ ପରିବାର ପକ୍ଷରୁ ତନାଘନା ପରେ ଅଭିଯୁକ୍ତର ମନ୍ଦ ଉଦ୍ଦେଶ୍ୟ ସାଧନ ହୋଇପାରିନଥିଲା। ଗତକାଲି ପୀଡ଼ିତା ଓ ତାଙ୍କ ବାପା ଥାନାକୁ ଆସି ଏତଲା ଦାଏର କରିଥିଲେ। ପୁଲିସ ପ୍ରଥମେ ଗୋବରଘାଟିରେ ଚଢ଼ଉ କରିଥିଲା। ହେଲେ ଶ୍ବଶୁର ଘର ଦାନଗଦୀରେ ଲୁଚିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର