ଯୁଯୁମୁରା: ବୃଦ୍ଧ ଦଂପତିଙ୍କ ଶୁଦ୍ଧିକ୍ରିୟାର ଆୟୋଜନ କରିଛି ଗାଁର କ୍ରିକେଟ୍‌ କ୍ଲବ୍‌। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଗତ ୨୯ ତାରିଖରେ  ମୃତ୍ୟୁ ହୋଇଥିବା ବୃଦ୍ଧ ଦଂପତିଙ୍କ ପୁଅ ନ ଥିବାରୁ ଗାଁର ବୀର ବଜରଂଗ କ୍ରିକେଟ୍‌ କ୍ଲବ (ବିବିସିସି) ଏକାଦଶାହ କାର୍ଯ୍ୟକ୍ରମର ଆୟୋଜନ କରିଛି। ରବିବାର ଆୟୋଜିତ ଏହି ଶୋକ କାର୍ଯ୍ୟକ୍ରମରେ ବୃଦ୍ଧ ଦଂପତିଙ୍କ ବନ୍ଧୁବାନ୍ଧବ, ସଂପର୍କୀୟ, ଗାଁ ଲୋକେ ଉପସ୍ଥିତ ଥିଲେ। ପାଖାପାଖି ୩୦୦ ଲୋକ ଭୋଜି ଖାଇଥିଲେ।

Advertisment

ସୂଚନାଯୋଗ୍ୟ, ଯୁଯୁମୁରା ବ୍ଲକ ଡଙ୍ଗାପାଳ ଗ୍ରାମରେ ଗତବର୍ଷ ଡିସେମ୍ବର ୨୯ ତାରିଖରେ କାର୍ତ୍ତିକ ପ୍ରଧାନ(୭୦) ଓରଫ୍ ଗୁମୁନୁ ଓ ତାଙ୍କ ସ୍ତ୍ରୀ ଅନସୂୟା ପ୍ରଧାନ (୬୭)ଙ୍କ ପରଲୋକ ହୋଇଯାଇଥିଲା। ଆଗପଛ ହୋଇ ଦଂପତି ଚାଲି ଯାଇଥିଲେ ଅଫେରା ରାଇଜକୁ। କାର୍ତ୍ତିକ କିଛି ବର୍ଷ ହେଲା ଫାଇଲେରିଆରେ ପୀଡ଼ିତ ହୋଇଥିଲେ। ସ୍ତ୍ରୀ ଅନସୂୟା ତାଙ୍କର ସେବା ଯତ୍ନ କରୁଥିଲେ। ସେ ଡିସେମ୍ବର ୨୭ ତାରିଖ ଦିନ କୌଣସି କାରଣରୁ ପଡ଼ି ଯିବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସ୍ବାମୀଙ୍କ ମୃତ୍ୟୁ ନେଇ ସ୍ତ୍ରୀ ଅନସୂୟା କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ତାଙ୍କୁ ମର୍ମାହତ କରିଥିଲା। ସେ ଏକାକୀ ଆଉ ଆଗକୁ ବାଟ ଚାଲିବାକୁ ଚାହିଁଲେ ନାହିଁ। ଅଗ୍ନୀକୁ ସାକ୍ଷୀ ରଖି ସାତ ଜନମ ପାଇଁ ଉଭୟ ହାତ ଧରିଥିଲେ ବୋଲି ଝୁରିହେଲେ। ସୁଖ, ଦୁଃଖରେ ସାଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ କାର୍ତ୍ତକଙ୍କ ମୃତ୍ୟୁ ପରେ ଅନସୂୟାଙ୍କ ମଧ୍ୟ ଅଳ୍ପ ସମୟ ମଧ୍ୟରେ ପରଲୋକ ହୋଇଯାଇଥିଲା।

publive-image

ଉଲ୍ଲେଖଯୋଗ୍ୟ, କିଛି ବର୍ଷ ପୂର୍ବରୁ ତାଙ୍କ ପୁଅ ପ୍ରତାପ ପ୍ରଧାନଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା। କାର୍ତ୍ତିକ ଓ ଅନୁସୂୟା ସେମାନଙ୍କର ଏକମାତ୍ର ଝିଅ ‘ପ୍ରଭାତୀ’ଙ୍କୁ  ନାକଟିଦେଉ ଅଂଚଳରେ ବିବାହ କରାଇଥିଲେ। ଦୁଃଖର କଥା ଯେ, ପ୍ରଭାତୀ ମଧ୍ୟ କିଛି ବର୍ଷ ପୂର୍ବରୁ ସ୍ବାମୀଙ୍କୁ ହରାଇ ଏକମାତ୍ର ପୁଅ ସହିତ ଦିନ କାଟୁଛନ୍ତି। ସ୍ବାମୀ, ବୃଦ୍ଧ ବାପା , ମା’ ଓ ଭାଇଙ୍କୁ ହରାଇବା ପରେ ପ୍ରଭାତୀଙ୍କ ଦୁଃଖ ‌ଅନେକ ଗୁଣ ବଢ଼ିଯାଇଛି।