ଚାନ୍ଦବାଲିରେ ନିୟମ ଉଲ୍ଲଘଂନକାରୀଙ୍କ ଦାଦାଗିରି : ପୁଲିସକୁ କାଠଫାଳିଆରେ ମାଡ଼

ଚାନ୍ଦବାଲି : ଲକ୍‌ଡାଉନ୍ କଟକଣାକୁ ନ ମାନି ବଜାରରେ ବୁଲୁଥିଲେ। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବାରଣ କରିବାରୁ ଓଲଟା ପୁଲିସକୁ କାଠଫାଳିଆରେ ପିଟି‌ଛନ୍ତି ଜଣେ ଯୁବକ। ଏହି ଘଟଣାରେ ଅଭିଯୁକ୍ତ ରମେଶ ଦାସଙ୍କୁ ଚାନ୍ଦବାଲି ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

କରୋନା ପାଇଁ ସୋମବାର ପୂର୍ବାହ୍ନ ସାଢେ ୧୦ଟାରେ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ଏହିସମୟରେ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣାଙ୍କ ନେତୃତ୍ବରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁ ଛକରେ କେତେକ ଯୁବକଙ୍କୁ ଏକାଠି ବୁଲୁଥିବା ଦେଖିବାକୁ ପାଇଥିଲେ। ବାହାରେ ନ ବୁଲିବାକୁ ସେମାନଙ୍କୁ ବାରଣ କରାଯାଇଥିଲେ ମଧ୍ୟ କେହି ଏହାକୁ ଭ୍ରୂକ୍ଷେପ କରିନଥିଲେ। ତେବେ ପୁଲିସ ଟିମ୍‌କୁ ଗାଡ଼ିରୁ ଓହ୍ଲାଇବା ଦେଖି ଅଗତ୍ୟା ୩ ଜଣ ଯୁବକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବାବେଳେ ରମେଶ ଦାସ ନାମକ ଜଣେ ଯୁବକ ଏକ କାଠଫାଳିଆରେ ଜଣେ ଏପିଆର୍‌ ଯବାନ ଓ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିଲା। ପରେ ପୁଲିସ ଉକ୍ତ ଯୁବକଙ୍କୁ ଗୋଡ଼ାଇ ଧରିବା ସମୟରେ ସେ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଚାନ୍ଦବାଲି ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ ଅଭିଯୁକ୍ତ ରମେଶଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ଉମାଶଙ୍କର ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର