ଭୁବନେଶ୍ୱରରେ ଚାନ୍ଦା ନ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଆଇସିୟୁରେ ଗୁରୁତର ଅବସ୍ଥାରେ ଭର୍ତ୍ତି

ଭୁବନେଶ୍ୱର: ଆଗକୁ ଗଣେଷ ପୂଜା, ଆଉ ତାପରେ ଦଶହରା । ଆରମ୍ଭ ହୋଇଗଲାଣି ପୂଜା ସିଜିନ୍ । ହେଲେ ପାର୍ବଣ ଋତୁ ସହ ଆରମ୍ଭ ହୋଇଯାଇଛି ଚାନ୍ଦାର ଯନ୍ତ୍ରଣା । ଗଳି ଗଳିରେ ଚାଲିଛି ପୂଜା ପାଇଁ ଚାନ୍ଦା ଆଦାୟ । ଖାଲି ଚାନ୍ଦା ତ ନୁହେଁ ଚାନ୍ଦା ନାଁରେ ଗୁଣ୍ଡାରାଜ । ସ୍ଥିତି ଏଭଳି ହୋଇଛି ଯେ, ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଗଣେଷ ପୂଜା ଚାନ୍ଦା ପାଇଁ ଜଣେ ଆମ୍ବୁଲାନ୍ସ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଜଣକ ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ପୂଜା ଚାନ୍ଦା ନଦେବାରୁ ହୋଇଛି ମରଣାନ୍ତକ ଆକ୍ରମଣ । ହସ୍ପିଟାଲ ବେଡରେ ପୀଡିତ ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଅବସ୍ଥା ଏତେ ସଂକଟାପର୍ଣ୍ଣ ଯେ, ତାଙ୍କୁ ଆଇସିୟୁକୁ ଡାକ୍ତର ସ୍ଥାନାନ୍ତର କରିଛନ୍ତି |

ମିଳିଥିବା ସୂଚନା ମୁତାବକ ଆନନ୍ଦ ପାଟ୍ଟଶାଣୀ ନାମକ ଯୁବକଙ୍କ ଘର ଭୁବନେଶ୍ୱରର ପାତ୍ରପଡ଼ାରେ ହୋଇଥିବାବେଳେ ପେଶାରେ ସେ ଜଣେ ଆମ୍ବୁଲାନ୍ସ ଚାଳକ । ଆନନ୍ଦ ଏମ୍ସ ହସ୍ପିଟାଲକୁ ନିଜ ଆମ୍ବୁଲାନ୍ସରେ ରୋଗୀ ନେବା ଆଣିବା କରନ୍ତି | ହେଲେ ସ୍ଥାନୀୟ ଅଂଚଳର କିଛି ଗୁଣ୍ଡା ଶ୍ରେଣୀୟ ଯୁବକଙ୍କ ଟାର୍ଗେଟରେ ରହିଥିଲେ ଆନନ୍ଦ । ବିଭିନ୍ନ ସମୟରେ ବଟି ପାଇଁ ତାଙ୍କ ଉପରେ ହୋଇ ଆସୁଥିଲା ଜୁଲମ । ହେଲେ ଗଣେଶ ପୂଜାକୁ ଆଳ କରି ଏହି ସ୍ଥାନୀୟ ଅସାମାଜିକ ଯୁବକମାନେ ଗାଡି ପିଛା ଲକ୍ଷେ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ । ଆନନ୍ଦଙ୍କର ୭ଟି ଗାଡି ଥିବାରୁ ତାଙ୍କୁ ୭ ଲକ୍ଷ ଟଙ୍କା ଚାନ୍ଦା ଦାବି କରାଯାଇଥିଲା । ଚାନ୍ଦା ଦେବା ପାଇଁ ମନା କରିବାରୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।

ଏହି ଘଟଣାରେ ପୁଲିସ ସମୀର ରାଉତରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି । ଦୋକାନ ବଜାରଠାରୁ ଆରମ୍ଭ କରି ଗାଡି ଚାଳକଙ୍କ ପର୍ଯ୍ୟନ୍ତ ସମୀରର ଗୁଣ୍ଡା ବାହିନୀ କାହାକୁ ବି ଛାଡ଼ୁନଥିବାର ଅଭିଯୋଗ ହୋଇଛି । ଏପରିକି ଆମ୍ବୁଲାନ୍ସ ଗାଡିଠୁ ବି ଚାନ୍ଦା ମାଗିବାକୁ ପଛାଉନି ଏହି କୁଖ୍ୟାତ ଅପରାଧୀ । ନା’ ଅଛି ଆଇନକୁ ଭୟ, ନା ଅଛି କମିସନରେଟ୍ ପୋଲିସର କଟକଣାକୁ ପରୱା । ଦିନ ଦ୍ୱିପହରରେ ଗୁଣ୍ଡା ଚଳାଉଛନ୍ତି ଗୁଣ୍ଡାରାଜ । ଅନ୍ୟପଟେ ଚାନ୍ଦା ଆଦାୟ ସଂପୂର୍ଣ୍ଣ ବେଆଇନ, ଚାନ୍ଦା ମାଗିଲେ ହାତକଡ଼ି ପଡ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ । ସମୀରକୁ ବାଦ ଦେଲେ, ଅନ୍ୟ ୧୫ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ପୂଜା କମିଟି ନାଁରେ ହେଉ ବା ପୂଜା, ପାର୍ବଣ ବାହାନାରେ କେହି ଚାନ୍ଦା ମାଗିଲେ, ତାକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି କମିସନରେଟ୍ ପୋଲିସ ।

ସମ୍ବନ୍ଧିତ ଖବର