କରୋନା ପାଇଁ ଗାଁ ସିଲ କଲେ ଯୁବଗୋଷ୍ଠୀ, ବଜାର ଫେରନ୍ତାଙ୍କ ହାତ ଧୋଇଲେ

ଚାନ୍ଦବାଲି: ଲକଡାଉନ କଟକଣାକୁ ନେଇ ସରକାର ରାଜ୍ୟବାସୀଙ୍କୁ ବାରମ୍ବାର କହୁଥିବାବେଳେ ଏବେ କିଛି ଯୁବପିଢ଼ି ନିଜ ଗାଁକୁ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କୁ ଭିନ୍ନ ଢଙ୍ଗରେ ଗାଁ ଭିତରକୁ ଛାଡ଼ିଥିବାର ଦେଖିବାକୁ ମିଳିଛି | କରୋନାକୁ ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଂଚାୟତ କୋଳିଆଡ଼ିଆ ଗାଁରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି |ଗାଁର ଯୁବପିଢ଼ି ଏକତ୍ରିତ ହୋଇଥିବାବେଳେ ଗାଁ ଲୋକଙ୍କ ପାଇଁ ମଧ୍ୟ କଟକଣା ଜାରି କରିଛନ୍ତି ।

ଖଣ୍ଡେ ବାଉଁଶ ଦ୍ୱାରା ଗାଁ ପ୍ରବେଶ ପଥରେ ଚେକଗେଟଟିଏ ନିର୍ମାଣ କରି ଗାଁ ଲୋକେ ବଜାର ସଉଦା କରି ଘରକୁ ଫେରୁଥିବା ବେଳେ ସାନିଟାଇଜର ମାଧ୍ୟମରେ ସେମାନଙ୍କର ହାତ ଧୋଇବା ପରେ ଗାଁ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି ।

ସେମାନଙ୍କୁ କରୋନା କଟକଣାକୁ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବାବଦରେ ବୁଝାଇବା ସହ ଲକଡାଉନର ପ୍ରକୃତ କାରଣକୁ ଗାଁ ଲୋକଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଛି | ସବୁଠୁ ବଡ଼ କଥା ଗାଁ ଛାଡ଼ି ବଜାରରେ ବୁଲିବାକୁ ଯାଉଥିବା ଲୋକମାନଙ୍କୁ ମଧ୍ୟ ଗାଁ ନ ଛାଡ଼ିଯିବାକୁ ବାରଣ କରୁଥିବା ଦେଖିବାକୁ ମିଳିଛି । ତେବେ କରୋନା ସଂକ୍ରମଣରୁ ଗାଁ ଲୋକଙ୍କୁ ସୁରକ୍ଷା ପାଇଁ ଯୁବଗୋଷ୍ଠୀଙ୍କ ଏକ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ସମ୍ବନ୍ଧିତ ଖବର